ମାତୃଦେବୋ ଭବ
ମାତୃଦେବୋ ଭବ


ଆଦ୍ୟାଶକ୍ତି ମାତା ଜଗତ ଜନନୀ ଦେବୀ ବିଶ୍ବବିନୋଦିନୀ
ତୁମ୍ଭ ଶ୍ରୀପୟରେ ଭକ୍ତିର ନୈବେଦ୍ୟ ସମର୍ପିଲି ମୁଁ ଭବାନୀ ।
କରୁଣାମୟୀ ତୁ କଲ୍ଯାଣ ଦାୟିନୀ ସଙ୍କଟ ନାଶିନୀ ଅମ୍ବା
ମମତାମୟୀ ଗୋ ଦେବୀ ସ୍ନେହମୟୀ ତୁହି ପରା ଜଗଦମ୍ବା ।
ବିଦ୍ଯା-ବୁଦ୍ଧି ପ୍ରଦାୟିନୀ ଜ୍ଞାନ-ସ୍ମୃତି ବିବର୍ଦ୍ଧିନୀ ମା ଶାରଦା
ଶକ୍ତି-ମୁକ୍ତି ଦାତ୍ରୀ ଅଭୟ ପ୍ରଦାତ୍ରୀ ତୁହି ଯେ ଅଟୁ ବରଦା ।
ଜନନୀ ଓ ଜନ୍ମଭୂମି ସ୍ବର୍ଗ ଠାରୁ ନିଶ୍ଚିତ ଯେ ଗରୀୟସୀ
ସ୍ବର୍ଗସମ ପିତା ଉଚ୍ଚ ହେଲେ ମଧ୍ୟ ମାତା ଅଟେ ମହୀୟସୀ ।
ସାରା ସଂସାରର ସମସ୍ତ ଅର୍ଦ୍ଦଳି ନିର୍ବିଘ୍ନରେ ଯାଏ ସହି
ସେଥିପାଇଁ ମାତା ସର୍ବଂସହା ବୋଲି ନାମ ପରା ଅଛି ବହି ।
ସକଳ ପ୍ରାଣୀଙ୍କ ସବୁ ଉତ୍ପୀଡନ ନିର୍ବିକାରେ କରେ ସହ୍ଯ
ଦୁଃଖ ଓ ଯନ୍ତ୍ରଣା ବହୁ ନିର୍ଯାତନା ଯଦ୍ୟପି ହୁଏ ଅସହ୍ଯ ।
ଏତାଦୃଶ ଅଟେ ଗର୍ଭଧାରୀ ମାତା ସନ୍ତାନଙ୍କ ପୀଡା ସହେ
ବହୁ କଷ୍ଟ ସତ୍ବେ ଅନ୍ତର ବେଦନା କାହାକୁ କେବେ ନ କୁହେ ।
ଦଶମାସ ଦଶଦିନ ତା' ଗର୍ଭରେ ସନ୍ତାନକୁ ଧରିଥାଏ
ଅସହ୍ଯ ଯନ୍ତ୍ରଣା ପାଇ ମଧ୍ୟ ମାଆ ହସ ହସ ମୁଖେ ଥାଏ ।
ପ୍ରସବ ବେଦନା ଅତୀବ ଦାରୁଣ ସତେକି ଯମ ଯନ୍ତ୍ରଣା
ସେ କଷ୍ଟରୁ ମୁକ୍ତି ମିଳିବା ଦୁଃସାଧ୍ୟ ଥାଏ ମୃତ୍ୟୁ ସମ୍ଭାବନା ।
ବହୁ ଯତ୍ନରେ ସେ ସନ୍ତାନକୁ ତା'ର ଗଢିଥାଏ ଶ୍ରମ କରି
ଘାତ ପ୍ରତିଘାତ ଅନେକ କଷଣ ସବୁ କରି ବେଖାତିରି ।
ନିର୍ବିକାର ପୁଣି ନିରଳସ ଭାବେ ମଳମୂତ୍ର ସଫା କରେ
ଶରୀର ଅସୁସ୍ଥ ହୋଇଲେ ତାହାର ଅହର୍ନିଶ ସେବା କରେ ।
ଶିଶୁର ପ୍ରଥମ ଖାଦ୍ୟ ଯେ ଅଟଇ ନିଜ ମାତୃସ୍ତନ କ୍ଷୀର
ସୃଷ୍ଟିର ପ୍ରାରମ୍ଭୁ ଏହି ବ୍ୟବସ୍ଥାଟି କରିଅଛନ୍ତି ଈଶ୍ୱର ।
ଶିଶୁ ପାଇଁ ଶ୍ରେଷ୍ଠ ଅଟେ ମାଆକ୍ଷୀର ଏହାର ବିକଳ୍ପ ନାହିଁ
ଶରୀର,ବୁଦ୍ଧି ଓ ମନର ବିକାଶ ନିଶ୍ଚିତ ରୂପେ ହୁଅଇ ।
ମାତା ହିଁ ଅବଶ୍ୟ ପ୍ରାରମ୍ଭିକ ଗୁରୁ ଏଥିରେ ଦ୍ବିମତ ନାହିଁ
ନବ ପରିଚୟ ଦେଇ ସଂସାରର ଜ୍ଞନାଲୋକ ଦିଏ ସେହି ।
ବାତ୍ସଲ୍ୟ ମମତା ବାଣ୍ଟି ସନ୍ତାନଙ୍କୁ ଦେଇଥାଏ ସମଦୃଷ୍ଟି
ପାତରଅନ୍ତର ନଥାଏ ତାହାର କରେ ସଭିଙ୍କୁ ସ
ନ୍ତୁଷ୍ଟି ।
ମାଆ ପରି ବ୍ଯକ୍ତି ଜଗତେ ବିରଳ ସଭିଙ୍କ ସେ ଆପଣାର
ସେ ସ୍ଥାନକୁ କେହି କଦାପି ପୂରଣ ନକରି ପାରିବେ ମା'ର ।
ବେଦ ଓ ପୁରାଣ ବିବିଧ ଶାସ୍ତ୍ରରେ ବର୍ଣ୍ଣିତ ମାତୃ ମହିମା
ଉଦାତ କଣ୍ଠରେ ସର୍ବେ ଗାଇଛନ୍ତି ମାଆର ଗୁଣ ଗରିମା ।
ସନ୍ତାନ ପାଇଁ କି ମାଆର କଣ୍ଠରୁ ଝରିପଡେ ମିଠା ସ୍ବର
ସ୍ନେହ ଶରଧାରେ ଗେହ୍ଲେଇ ସେ ଡାକେ ଆରେ ବାପଧନ ମୋର ।
ପୁତ୍ରକନ୍ଯାଙ୍କର ଶିକ୍ଷା ମୂଳଦୁଆ ମା'ଠାରୁ ହୁଏ ଆରମ୍ଭ
ତଦନ୍ତେ ଉତ୍ତମ ଗୁରୁ ଶିକ୍ଷା ଲଭି ପାଆନ୍ତି ଯଶଗୌରବ ।
ପକ୍ଷୀ ଶାବକର ଡେଣାପରଦ୍ବୟ ଯେବେ ହୋଇଥାଏ ଶକ୍ତ
ମାଆକୁ ସେ ଭୁଲି ଯାଏ ଦୂରେ ଉଡି ମା'କଥା ଭାବେ ନାହିଁ ତ।
ବାପାମାଆଙ୍କର ଆଶା ବିଶ୍ୱାସର ଭରସା ଅଟେ ସନ୍ତାନ
ତା'ମୁଣ୍ଡକୁ ହାତ ପାଇଗଲା ପରେ କରେ ତାଙ୍କୁ ଅସମ୍ମାନ ।
ଅପୁତ୍ରିକ ଦୋଷୁ ପାରିହେବା ପାଇଁ କରିଥାଏ ଉଷାବ୍ରତ
ଲକ୍ଷେ ଶିବ ପୂଜି ବହୁକଷ୍ଟେ ମାତା ପାଇଥାଏ ସେତ ସୁତ ।
ବିବିଧ ରୂପରେ ନାରୀ ଅଟେ ପୂଜ୍ଯା ଜନନୀ-ଜାୟା-ଭଗିନୀ
ସେହି ମାତା ପଦେ କୋଟିଶ ପ୍ରଣାମ ସେଯେ ଅଭୟଦାୟିନୀ ।
ବୈଦିକ ଯୁଗରେ ପ୍ରଚାର୍ଯ୍ଯ ଶିଷ୍ଯଙ୍କୁ ଦେଉଥିଲେ ସଦଜ୍ଞାନ
'ମାତୃଦେବୋ ଭବ'ସଦାଚାର ଶିକ୍ଷା କରୁଥିଲେ ସେ ପ୍ରଦାନ ।
ଶ୍ରଦ୍ଧା ଓ ଭକ୍ତିରେ ପିତାମାତାଙ୍କର ପଦେ ଯେ କରେ ପ୍ରଣାମ
ସର୍ବ ଦେବତାଙ୍କ କୃପାପ୍ରାପ୍ତି ସହ ପୂର୍ଣ୍ଣ ହୁଏ ମନସ୍କାମ ।
ମାଆଙ୍କର ଗାଳି ପୁତ୍ରଙ୍କ ନିମନ୍ତେ ଅଟଇ ଶୁଭାଶୀର୍ବାଦ
ତାଙ୍କ କଲ୍ଯାଣରୁ ହୁଏ ପୁତ୍ର ସୁଖୀ ଯଶେ ଲଭେ ସୁବିଖ୍ଯାତ ।
ବିମାତା ଯଶୋଦା ରାଣୀ ଯେ କୃଷ୍ଣେ ସ୍ନେହେ ହେଲେ ପାଗଳୀ
ବାତ୍ସଲ୍ୟ ଡୋରିରେ କୈକେୟୀବାନ୍ଧିଲେ ରାମଙ୍କୁସ୍ବ ମା'ଙ୍କ ଭଳି।
ଦେବତାଙ୍କ ପରି ସଦା ମାତୃଦେବୀଙ୍କୁ କରି ଭକ୍ତି-ସମ୍ମାନ
ତାଙ୍କର ଅପାର କୃପାରୁ ସନ୍ତାନ ସୁଖେ ବିତାଏ ଜୀବନ ।
ବିଶ୍ବର ସକଳ ମାତୃଦେବୀଙ୍କୁ ମୁଁ କରୁଛି ଭକ୍ତି ପ୍ରଣାମ
ଜଗତକୁ ହୁଅ ସାହା ଓ ଭରସା ଏତିକି ମୋ ନିବେଦନ ।
ପିତୃ-ମାତୃ ଦେବୋ ହୁଅନ୍ତୁ ସନ୍ତାନେ କରି ଗୁରୁଜନେ ଭକ୍ତି
ଆୟୁର୍ବିଦ୍ଯା,ଯଶ,ବଳ ହେଉ ବୃଦ୍ଧି କରେ ପ୍ରାର୍ଥନା ଏତିକି ।