ମାତା କୁନ୍ତୀ
ମାତା କୁନ୍ତୀ
ଅଗାଧ ସ୍ନେହର ଅଧିକାରିଣୀ ଯେ
ଧରଣୀରେ ଶ୍ରେଷ୍ଠା କୁନ୍ତୀ
ଅତି ପୂଣ୍ୟ ବଳେ ଅତି କୌତୁହଳେ
ଲଭିଲେ ସନ୍ତାନ ଜ୍ୟୋତି ।
ଦୁର୍ବାଶା ଋଷିଙ୍କ ଆଶୀର୍ବାଦ ପାଇ
ମନରେ ଉପୁଜେ ଦ୍ଵନ୍ଦ
ପରୀକ୍ଷା ନିମନ୍ତେ ମାନସେ ଚେଷ୍ଟିତ
ମନରେ ନଥିଲା ମନ୍ଦ ।
କୁମାରୀ ସମୟେ ସୂର୍ଯ୍ୟଙ୍କୁ ଚିନ୍ତିଲେ
ଦାନରେ ପାଇଲେ କର୍ଣ୍ଣ
ଲୋକ ଲଜ୍ୟା ଭୟ ଅଥୟ ହୃଦୟ
ଗୋପନେ ରଖିଲେ ଚିହ୍ନ ।
କୁମାରୀ ମାତାକୁ ଜଗତ ନିନ୍ଦିବେ
ଆଉ କି ବଞ୍ଚିବ ଦେହୀ
ଗଭୀର ଚିନ୍ତାରେ ଅପସରି ଯାଏ
ଯେହ୍ନେ ପାଦ ତଳୁ ମହୀ ।
କବଚ କୁଣ୍ଡଳ ସୁରକ୍ଷାର ବଳ
ଅରି କି ପାରିବ ମାରି
ବାତ୍ସଲ୍ୟ ମମତା ଆଶିଷ ଲେପିଣ
ସିନ୍ଧୁକରେ ଦେଲେ ଭରି ।
ମନର ବେଦନା ମାନସେ ଦମନ
ପାଦ ତଳେ ନଦୀ ତୀରେ
ପ୍ରଖର ସ୍ରୋତରେ ଭସାଇବା ପରେ
ଅବିରତ ଅଶ୍ରୁ ଝରେ ।
ବିଚ୍ଛେଦର ବେଳା ବଢ଼ି ବଢ଼ି ଗଲା
ସୌଭାଗ୍ୟେ ବାହୁଡେ ଦିନେ
କୋଟିଏ ଜନତା ଭିତରୁ ଯେ ମାତା
ପୁତ୍ରକୁ ସହଜେ ଚିହ୍ନେ ।
ପାଞ୍ଚୋଟି ତନୟ ପାଶେ ନାହିଁ ଲୟ
କର୍ଣ୍ଣ ନାଚୁ ଥାଏ ଡୋଳେ
ସୂତ ପୁତ୍ର ନାମେ ନାମିତ ହେଲେ ବି
କୁନ୍ତୀ ମନ ନିତି ଭାଳେ ।
ସମୟ ଚକ୍ରରେ ଘୂରି ଘୂରି ଆସି
ବିବଶ ଯେ ମାତା କୁନ୍ତୀ
ଧନଞ୍ଜୟ ପ୍ରାଣ ସୁରକ୍ଷିତ ପାଇଁ
କର୍ଣ୍ଣ ପାଶେ କାନି ପାତି ।
ଘନ ଅନ୍ଧକାରେ ବଦନ ଲୁଚାଇ
ମା' ମାଗେ ପ୍ରାଣ ଭିକ୍ଷା
ଦାନୀ ସୂର୍ଯ୍ୟ ପୁତ୍ର ଟେକି ଦେଲେ ହସ୍ତ
ଲିଭୁ ମୋ ଜୀବନ ଶିଖା ।
ମା ହାରି ଯାଏ ସନ୍ତାନ ପାଇଁକି
ମାତା ଜିତେ ପୁତ୍ର ଦାନେ
ମମତାମୟୀ ସେ ନଭୂଲ ତାହାକୁ
ଚିର ଦିନ ରଖ ମନେ ।