ମାତା ଗାନ୍ଧାରୀ
ମାତା ଗାନ୍ଧାରୀ
ଲେଖିବା ପାଇଁକି ଲେଖନୀ କଂପଇ
ଗାନ୍ଧାରୀ ଲଲାଟ ଭାବି
କେତେ ଯେ ବେଦନା ହୃଦୟରେ ସିନା
ସ୍ତର ସ୍ତର ଥିଲା ଦବି ।
ଶହେ ପୁତ୍ର ମାତା କରିଲେ ବିଧାତା
ଲେଖିଲେ ନାହିଁ ତ ସୁଖ
ଏକ ଏକ ବୀର ପୁତ୍ରକୁ ହରାଇ
ଲଭିଲେ ଯାତନା ଦୁଃଖ ।
ଆର୍ତ୍ତ ଚିତ୍କାରରେ ଫାଟି ପଡୁ ଥାଏ
ମମତାରେ ବୋଳା ହୃଦ
ପୁତ୍ରର ଅନ୍ୟାୟେ ତୁଣ୍ଡ ଖୋଲେ ନାହିଁ
ହେଉ ପଛେ ପ୍ରାଣ ଦଗ୍ଧ ।
ମାତୃତ୍ବର ଭାବ ମାତା ବୁଝି ପାରେ
ବୁଝି ନପାରନ୍ତି କେହି
ମାତାର ହୃଦୟ ଅସୀମ ବ୍ରହ୍ମାଣ୍ଡ
ନଭ ରସାତଳ ମହୀ ।
ଗାନ୍ଧାରୀ ସାମ୍ରାଜ୍ଞୀ ହସ୍ତିନା ପୁରର
ସ୍ଵାମୀ ଧୃତରାଷ୍ଟ୍ର ରାଜା
ଅନ୍ଧ ସ୍ଵାମୀ ପାଇଁ ନେତ୍ରେ ପଟି ବାନ୍ଧି
ଜୀବନେ ଲଭିଲେ ସଜ୍ଜା ।
ଜନ୍ମରୁ ମରଣ ଚିର ଦିନ ଯାଏ
ଦୁଃଖ ସ୍ରୋତେ ଭାସି ଭାସି
ନୃତ୍ୟ କରେ କାଳ ସମୟ ସାଥିରେ
ଅଟ୍ଟହାସ୍ୟ ହସ ହସି ।