STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ମାନ୍ଧାତା ସେ ଗାଁ ନାଁ

ମାନ୍ଧାତା ସେ ଗାଁ ନାଁ

1 min
294

ଗାଁ ନାମ ଆଜି ହୋଇଛି ମାନ୍ଧାତା

ଆଧୁନିକତାର ଦମ୍ଭେ,

ଜିହ୍ଵା ବୁଲେନାହିଁ କହିବାକୁ ତା ନାଁ

ଲଜ୍ୟାରେ ବିବେକ ଭାଙ୍ଗେ। 


ସେଇ ମାଟି ଘରେ ଗଢ଼ି ଉଠିଥିଲା

ଜୀବନର ଆଦ୍ୟ ପର୍ବ,

ଆମ୍ବତୋଟା ଆଉ ହଳଦିଆ କ୍ଷେତ

ହୃଦେ ଭରୁଥିଲା ଗର୍ବ।


ଧୂଳି ଧୁସରିତ ଦାଣ୍ଡ ଝୁରୁଥିଲା

ନଦେଖି ଆମକୁ ଦଣ୍ଡେ,

ପୋଖରୀ ହୁଡ଼ାର ଆମ୍ବଗଛ ଡାଳ

ଭୀତ ଥିଲା ଆମ ଉଦଣ୍ଡେ। 


ସାରୁ ବୁଦା ମୂଳେ ଦିଶି ଯାଉଥିଲା

ନାଗ ନାଗୁଣୀର ଖେଳ

ବାଉଁଶ ବୁଦାର ସାଇଁ ସାଇଁ ଗୀତ

ନଦୀ ସହ ଦିଏ ତାଳ। 


କଣ୍ଟେଇ କୋଳିର ମିଠା ସୁଆଦରେ

କି ଥିଲା ସେ ସମ୍ମୋହନ

ଆଜିବି ଝୁରୁଛି ସେଇ ଗାଁ ସୁଆଦ

ବୁଡିଛି ଜଂଜାଳେ ଦିନ। 


ସହରର ଆଭିଜାତ୍ୟ ସଂସ୍କାରରେ

ଶିକ୍ଷିତ ଆମର ମତି

ପ୍ରଗତିର ଦ୍ରୁତ ଗରଳ ପ୍ରବାହେ

ମୃତ୍ୟୁ ମୁଖୀ ଆମ ଗତି। 


ସେଇ ସେ ମାନ୍ଧାତା ମାଟି ଆଜି ଡାକେ

ସୁଶୀତଳ ତାର କୋଳେ

ଗାଇ ତାର ନାମ ସପ୍ରେମେ ସଭିଏଁ

ଲୋଟିବା ତା ଚରଣରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract