ମାଘ ପଞ୍ଚମୀରେ ଆସ ଅବତରୀ
ମାଘ ପଞ୍ଚମୀରେ ଆସ ଅବତରୀ
ମାଘ ପଞ୍ଚାମୀରେ ଆସ ଅବତରୀ
ଅଜ୍ଞାନ ଅନ୍ଧାର ନ ରହୁ କାହାରି ।
ମୁରୁଖ ପଣକୁ ଦିଅ ଦୂର କରି
ମନ ହୃଦୟରେ ଜ୍ଞାନାଲୋକ ଭରି ।
ଜଗତ ଜନନୀ ମାଆ ବୀଣାପାଣି
ଏତିକି ପାଦେ ଗୁହାରି ।
ଆସ ମାଆ ଅବତରୀ ।
ମନରେ ଭରିଛି ଆଶା ଅସୁମାରୀ
ଦିଅ ମାଆ ଢାଳି କରୁଣାର ବାରି ।
ତୁମରି ଆଶିଷେ ଏ ଜଗତ ହସୁ
ଜ୍ଞାନ ସୁବାସରେ ହୃଦୟଟି ବାସୁ ।
ମାଆ ହଂସ ବାହିନୀ ତିମିର ନାଶିନୀ
ଦିଅ ମାଆ ଜ୍ଞାନ ଭରି ।
ଆସ ମାଆ ଅବତରୀ ।
ଶ୍ବେତାବସ୍ତ୍ରଧାରୀ ବ୍ରହ୍ମାଙ୍କ ନନ୍ଦନୀ
ଶ୍ବେତ ପଦ୍ମାସନେ ବିରାଜ ଜନନୀ ।
କାଳିଦାସ ମୁର୍ଖ ଦୂର ଥିଲ କରି
ନବ ରତ୍ନ ପଣ୍ଡିତରେ ଥିଲେ ବରି ।
ତୁମରି ଦୟାରେ ସାତ ଜନ୍ମ ମୁର୍ଖୁ
କ୍ଷଣିକେ ହୋଇଲେ ପାରି ।
ଆସ ମାଆ ଅବତରୀ ।
ଗର୍ବ ଅହଂକାର ଦିଅ ଦୂର କରି
ଦୟା କ୍ଷମା ଭାବ ମନେ ଦିଅ ଭରି ।
ହିଂସା କପଟରୁ ରଖ ମାଆ ଓଟାରି
ସତ୍ୟ ଧର୍ମ ପଥେ ନିଅ ହାତ ଦରି ।
କଣ୍ଠେ ବସି ଥାଅ ମାଆ ସରସ୍ବତୀ
ପଦ ପଡୁ କଣ୍ଡୁ ଝରି ।
ଆସ ମାଆ ଅବତରୀ ।
ଧର ନାହିଁ ଦୋଷ ନିଅ କୋଳ କରି
ଅନ୍ତରରେ ଭକ୍ତି ଭାବ ଦିଅ ଭରି ।
କଳୁଷ କାଳିମା ଦିଅ ଦୂର କରି
ଛଳନା କପଟ ଯାଉ ଅପସରି ।
ବିଦ୍ୟାଦାତ୍ରୀ ମାତା ପୁସ୍ତକ ଧାରିଣୀ
ହୃଦେ ଜ୍ଞାନ ଦିଅ ଭରି ।
ଆସ ମାଆ ଅବତରୀ ।
ପରୋପକାର ଦୟା ମନେ ଭରି
ଘୃଣା ଶତ୍ରୁ ଭାବ ଦିଅ ନାଶ କରି ।
ସେନେହ ମମତା ହୃଦୟରେ ଭରି
କୋମଳ ବଚନ କଣ୍ଠୁ ଆସୁ ଝରି ।
ଦୟା କରି ଜ୍ଞାନ ଭରି ଦିଅ ମାଗୋ
ଅଜ୍ଞାନକୁ ନାଶ କରି ।
ଆସ ମାଆ ଅବତରୀ ।
କୂବୁଦ୍ଧିକୁ ନାଶି ସୁବୁଦ୍ଧିକୁ ଭରି
ବିଦ୍ୟା ଦାନ କର ଦୋଷକୁ ନ ଧରି ।
ବିଦ୍ୟାଦାତ୍ରୀ ମାତା ଦିଅ କ୍ଷମା କରି
ବିଦ୍ୟା ବିନା ଗତି ନାହିଁ ମା କାହାରି ।
ଚରଣେ ଶରଣ ପଶୁଛୁ ଜନନୀ
ମୁର୍ଖରୁ ଦିଅ ଉଦ୍ଧରି ।
ଆସ ମାଆ ଅବତରୀ ।
