ମାଆର ଚୁମ୍ବନ ଆହା କି ମିଠା
ମାଆର ଚୁମ୍ବନ ଆହା କି ମିଠା


ଯେତେ ଅନୁଭବ ସମ୍ପର୍କ ବନ୍ଧନେ
ତୋଳି ଦେଇଛନ୍ତି ଜଗତ ସ୍ରଷ୍ଟା
ମମତା ଓଠରେ ଛୁଇଁ ଦେଉଥିବା
ମାଆର ଚୁମ୍ବନ ଆହା କି ମିଠା !
ତା' ବାତ୍ସଲ୍ୟ ପ୍ରୀତି ମନୁ ହରେ ଭୀତି
ମୁହଁକୁ ଲୁଚାଇ ପଣତ ତଳେ
ସତେ ମିଳିଯାଏ ଅଭୟ ଆଶ୍ରୟ
ମନ ଯେମିତି ଆନନ୍ଦେ କୁରୁଳେ ।
ପିଠି ଥାପୁଡେଇ ମିଠା କଥା କହି
ସତେ କି ଢାଳଇ ମୁଖରେ ମହୁ
ବଢ଼ି ଯାଉଥିଲେ ଯେତେ ବି ବୟସ
ପାନ କରିକରି ଖୁସିରେ ରହୁ ।
ଅମୃତମୟୀ ସେ ଏହି ସଂସାରରେ
ତହା ସରି ଆଉ କିଏ ବା ଅଛି
ଆଶୀର୍ବାଦ ଝରେ ସଦା ଭିଜିଭିଜି
ଦୁଃଖ ଫିଙ୍ଗି ଚଳୁ ସୁଖକୁ ଭୁଞ୍ଜି ।
ତା' ସେନେହ-ସୁଧା ଯେ ଫିଙ୍ଗି ଜୀବନେ
ସଂସାର ବୁକୁରେ ବାଟ ଚାଲଇ
ପୁଷ୍ପ ହୁଏ କଣ୍ଟା ଝରିପଡେ ରକ୍ତ
ଅଶାନ୍ତି ପାହାଡ଼ ଠିଆ ହୁଅଇ ।
ତା' ସ୍ନେହ-ଧନଠୁ ବଡ଼ ନୁହେଁ କିଛି
ବିବେକୀ କେବଳ ମନେ ପୂରାଇ
ତା' ଭଲ ପାଇବା ମନରେ ନମାପି
ସଦା ସୁଖ ତୋଳି ମର୍ତ୍ତ୍ୟେ ରହଇ ।