ମାଆଗୋ ଆସ
ମାଆଗୋ ଆସ
ମାସ ଶ୍ରେଷ୍ଠ ମାର୍ଗଶିର ଯେ ଅଟଇ
ସବୁ ଗୁରୁବାରେ ଆସୁ,
ସ୍ବତନ୍ତ୍ର ଗୁରୁବାର ଏ ସୁଦଶା
ଧରାଧାମରେ ପ୍ରବେଶୁ ।
ହସ୍ତେ ଗଦା ପଦ୍ମ ମଥାରେ ସିନ୍ଦୂର
କେଡେ ସୁନ୍ଦର ତୋ ରୂପ,
ଲକ୍ଷ୍ମୀନାରାୟଣୀ ହୃଦେ ସୁମରିଲେ
ଦୂରକରୁ ସବୁ ପାପ ।
ଷୋଳକୋଠି କରି ପାଦପଦ୍ମ ଲେଖି
ଅଗଣାଠୁ ନେଇ ଘର,
ଅନ୍ତରେ ସୁମରେ ଲକ୍ଷ୍ମୀ ନାରାୟଣୀ
ଘେନାକର ନମସ୍କାର ।
ତୋର ପୂଜା ପାଇଁ ଗେଣ୍ଡୁ ପଦ୍ମ ମଲ୍ଲୀ
ରଖିଛି ସାଇତି କରି,
ସିନ୍ଦୂର ଅଳତା ଶଙ୍ଖା ଚୁଡ଼ି ଶାଢ଼ୀ
ଆଣିଛି ମୁଁ କିଣିକରି ।
ଦଶକେରା ସୂତେ ବ୍ରତକୁ କରିଛି
ଦଶନାମ ତୋର ଧରି,
ହସ୍ତରେ ବାନ୍ଧିବି ଅତି ଯତନରେ
ତୋହରି ନାମକୁ ସ୍ମରି ।
କର୍ମ ଅବେଳରୁ ନଳରାଜା ପୁଣି
କାଟିଥିଲେ ଘୋଡା ଘାସ,
ରାଣୀ ଦମୟନ୍ତୀ କେଡେ ଅଭାଗିନୀ
ହରାଇ ତାଙ୍କ ଉଆସ ।
ପୁତ୍ର ସଭାଚନ୍ଦ୍ର ମୟୂର ଗିଳିଲା
ଡିଏଁ ପୋଡାମାଛ ପୁଣି,
ତତେ ହତାଦରି କେତେ ଦୁଃଖ ଲଭି
ଜଗତ ଅଛଇ ଜାଣି ।
ଭଙ୍ଗା କୁଡ଼ିଆକୁ ଆସିବୁ ମାଆଲୋ
ପୂଜାଥାଳି ସଜାଡିଛି,
ମାଗୁନାହିଁ ଧନ ମାନ ଅବା ଯଶ
କରୁଣା ତୋ ଲୋଡୁଅଛି ।
କ୍ଳିଷ୍ଟହାରିଣୀ ମାଆ ସମ୍ପତ୍ତି ଦାୟିନୀ
ସୁଦୟା କରିବୁ ମୋତେ,
ସଦା ସତ୍ୟ ନ୍ୟାୟ ଧର୍ମର ପଥରେ
ଚଲାଇବୁ ଧରି ହାତେ ।
