ମାଆ
ମାଆ
ଜନନୀ ରୂପରେ ସେହି ଭଗବତୀ
ତାଙ୍କ ସମ ନାହିଁ କେହି
ମୀନରୁ ମାନବ ଗଢି ତୋଳିବାରେ
ଶ୍ରେଷ୍ଠ ବିନ୍ଧାଣୀ ଅଟଇ।।
ଅଳି ଅରଦଳି ସବୁ ଶୋକ ଦୁଃଖ
ନୀରବରେ ଯାଏ ସହି
ସନ୍ତାନର ସଦା ଭଲ ଚାହୁଁଥାଏ
ଆଖିରେ ଲୁହ ଲୁଚେଇ ।।
ଇସ୍କୁଲ ପାଠ ସାରି ଫେରିବା ବେଳେ
ବାଟକୁ ଚାହିଁ ରୁହଇ
ପଣତ କାନିରେ ଧୂଳି ଝାଡ଼ିଦେଇ
ଗାଲକୁ ଗେଲ କରଇ।।
ଜୀବନର ଅପରାହ୍ନ ବୟସରେ
ଆଜି ମୁଁ ଦୂର ଦେଶରେ
ଦୂରଭାଷ ଭ୍ରାମ୍ୟମାଣ ଯନ୍ତରରେ
କଥା ହୁଅଇ ସଧୀରେ।।
ଦେହ ପାଆ ଭଲ ମନ୍ଦ ପଚାରଇ
ଆଖିରେ ଲୋତକ ବିନ୍ଦୁ
ପ୍ରଭୁଙ୍କ ପାଖରେ କରୁଛି ପ୍ରାର୍ଥନା
ପାରିକର ଭବ ସିନ୍ଧୁ।।
ତିନି ସନ୍ତାନର ଜନନୀ ମୋ ମାଆ
ସମ ଭାବ ସମାଦର
ସଭିଙ୍କୁ ସମାନ ଅଧିକାର ଦିଏ
ନ କରି ଭେଦ ବିଚାର।।
ଗରଭ ଧାରିଣୀ ପାଳନ କାରିଣୀ
ସେହି ମୋର ମାଆ ବୋଉ
ଗୋଟିଏ ଶବଦର ସାଗର ଟିଏ
ସଦା କୋଳେ ମୁଣ୍ଡ ରହୁ।।