ମାଆ
ମାଆ
ଜୀଇଁବାର କଳା ଶିଖେଇଛି ଯିଏ
ଜୀବନର ସଡକରେ
ତା ମୁହଁକୁ ଚାହିଁ ହାରିନାହିଁ କେବେ
ଏତେ ବଡ଼ ଦୁନିଆରେ ।
ଆଖିରେ ଦେଇଛି ଆଖିଏ ସପନ
ଓଠରେ ଅକୁହା ଭାଷା
ମନରେ ବୋଳିଛି ମମତାର ମଧୁ
ଛାତିରେ ଛାତିଏ ଆଶା ।
ଶୋଷଣ,କଷଣ ସହି ସହି ସିନା
ସାହସ ଦେଇଛି ବୁଣି
ମାଟିଠୁ ଆକାଶ ସବୁଠି ତା ଛାଇ
ପାରେନାହିଁ ମୁଁ ଯେ ଜାଣି ।
ଲୁହ ଓ ଲହୁରେ ତିଆରିଛି ନୀଡ଼
ବହୁ ଝଡ଼ ଝଞ୍ଜା ସହି
କେତେ କାଳରାତି ଯେ ଯାହା ବାଟରେ
ଯାଇଅଛି ଆଜି ପାହି ।
ମୁଁ ହସିଲେ ହସେ ତୋ ସାରା ସଂସାର
ମୋ ପାଇଁ ଜଳେ ତୋ ଚୁଲୀ
ଦଣ୍ଡେ ନଦେଖିଲେ ମୋତେ ତୁ ଯେମିତି
ପ୍ରାଣ ଯାଏ ତୋର ଚାଲି ।
ତୁ ପରା ଲୋ ଏକ ଅନୁଭବ ଭରା
ଦୂର ପାହଡର ଝର
କୁଳୁ କୁଳୁ ହୋଇ ବହିଚାଲୁ ନିତି
ନମାନି ଆପଣା ପର ।
କେମିତି ଶୁଝିବି ତୋ ଋଣ ଲୋ ମାଆ
ମମତାର ସେତୁ ଡେଇଁ
ଯେତେ ଯାହା ଦେଲେ ତୋ ପାଦ ଆଗରେ
ସବୁ ତୁଛ ମୋ ପାଇଁ ।