ମାଆ
ମାଆ
ଯିଏ ମୋ ଜନମ ଦାତ୍ରୀ ସେ ମମତାମୟୀ
ମୋର ଦୁଃଖେ କାନ୍ଦେ ଯିଏ ହୃଦୟ ଫଟାଇ ||
ମୋ ହସରେ ମୋ ଖୁସିରେ ଭୁଲେ ନିଜ ଦୁଃଖ
ତା ପଣତ କାନି ଛାଇ ଦିଏ କେତେ ସୁଖ ||
ସିଏତ ମୋ ପାଇଁ ଲକ୍ଷ୍ମୀ ସରସ୍ୱତୀ ଦେବୀ
ଯଶୋଦା ଦେବକୀ ଆଉ ଅମ୍ବିକା ଜାହ୍ନବୀ ||
ତା ମୁଖ ପ୍ରଥମ ଭାଷା ମୋ ଓଠେ ଫୁଟିଛି
ତାହାରି ପରଶ ପାଇ ଚାଲି ମୁଁ ଶିଖିଛି ||
ଯାହାର ରକତେ ଗଢ଼ା ଏ ମୋର ଶରୀର
ପାଇଛି ପରାଣ ପିଇ ଅମୃତ ଯାହାର ||
ଯାହାର ଆକଟ ଯୋଗୁ ଭଲ ବାଟେ ଚାଲେ
ଯାହାର ଆଶିଷ ପାଇ ମଥା ଟେକି ବୁଲେ ||
ସେହି ମାଆ ପାଦେ ମୋର କୋଟି ନମସ୍କାର
ତାର ପାଦ ଧୂଳି ମୋର ଅମୃତ ଭଣ୍ଡାର ||
ସ୍ନେହମୟୀ ମହୀୟସୀ ଜନନୀ ମୋହର
ମୋପାଇଁ ସବୁଠୁ ବଡ଼ ଏ ଜଗତେ ସାର ||
