ମାଆ
ମାଆ
ରାଗ - ରାମକେରୀ
କେତେ ଓଷା ବ୍ରତ କରିଣ ପୁତ୍ର ଜନମ ହୁଏ
ଅନ୍ତ ଫାଡ଼ି ଜନ୍ମ ଦେଇଣ ବକ୍ଷୁ ସୁଧା ଝରାଏ ।
ମାତୃତ୍ଵ ଲଭିଣ ସାର୍ଥକ କରେ ନାରୀ ଜନମ
ବାତ୍ସଲ୍ୟ ମମତା ଝରାଇ ଦିଏ ଅନନ୍ତ ପ୍ରେମ ।
ଦୁଃଖଶୋକ ସବୁ ପାଶୋରେ ଦେଖି ସନ୍ତାନ ମୁହଁ
ହୀରା ନିଳା ମୋତି ମାଣିକ କେହି ତା ସରି ନୁହଁ ।
ହାତ ଧରି ଚାଲି ଶିଖାଏ ଓଠେ ଦିଏ ବଚନ
କ୍ଷଣେ ନଛାଡ଼ଇ ପାଖରୁ ସେତ ଅମୂଲ୍ୟ ଧନ ।
ସନ୍ତାନେ ଅଭୟ ପ୍ରଦାନ କରେ ଢାଙ୍କି ପଣତ
ରେଣୁ ମାତ୍ର ଦେହେ ବାଜିଲେ ହୃଦ ହୁଏ ବ୍ୟଥିତ ।
ମାଆ ଡାକ ଯେତେ ଶୁଣିଲେ ତାର ବୁଝେନି ମନ
ଅଳି ଅଝଟକୁ ପୂରଣ କରେ ଦେଇ ଚୁମ୍ବନ ।
ନିଜ ସ୍ବପ୍ନ ଚୁନା କରିଣ ଗଢେ ପୁତ୍ର ଜୀବନ
ବଡ଼ ହୋଇ ପୁତ୍ର ସବୁଠି ହୁଏ ଶ୍ରଦ୍ଧା ଭାଜନ ।
ଡିଗ୍ରୀ ଧରି ପୁଅ ଶିକ୍ଷିତ ହୋଇ ଧନ କମାଏ
କୋଠାବାଡି କରି ସହରେ ପତ୍ନୀ ସଙ୍ଗତେ ରହେ ।
ଯଉବନ ମତ୍ତ ଗରବେ କିଛି ଦେଖା ନଯାଏ
ମାଆ କୋଳ ସ୍ନେହ ମମତା ସବୁ ପାଶୋରିଦିଏ ।
ନିଦ୍ରା ଯିବାପାଇଁ କୋଳରେ କରୁଥିଲା ଦୟିନୀ
ଆଜି ମାଆ ଘରେ ଆସିଲେ ହୁଏ ସମ୍ମାନ ହାନି ।
ପୁଅ ଜନ୍ମକରି ମନରେ କେତେ ବାନ୍ଧିଲା ଆଶା
ଗୁଣବନ୍ତ ପୁତ୍ର ନଚିହ୍ନେ ବୃଦ୍ଧାଶ୍ରମ ଭରସା ।
ନିଜେ ଉପବାସେ ରହିଣ ପୁତ୍ରେ ଖୁଆଉଥାଏ
ସବୁକିଛି ଲୁଟି ସାରିଲେ ପୁତ୍ର ତଡିଣ ଦିଏ ।
ସନ୍ତାନ ସେବାର ନିମନ୍ତେ କିବା ମାଆ ଆସଇ
ମାଆର ନିମନ୍ତେ ପୁତ୍ରର କିଛି କର୍ତ୍ତବ୍ୟ ନାହିଁ ।
ମାଆ ଋଣ ସୁଝିପାରେନି ଶହେ ଜନମେ ସୁତ
ଜ୍ଞାନଦୋୟ କର ପ୍ରଭୁହେ ବୁଝିଯାଉ ଜଗତ ।
