STORYMIRROR

Sarita Rani Mohanty

Action

3  

Sarita Rani Mohanty

Action

ମାଆ ଓ ମମତା

ମାଆ ଓ ମମତା

1 min
11.7K

ସୃଷ୍ଟି ସଂରଚନା ବିଚିତ୍ର ଏଇଠି

    ସ୍ନେହ ମମତାର ମୂଲ

ନିର୍ଝରିଣୀ ସମ ଝରି ପଡୁଥାଏ

   ପିଲା ପାଈଁ ମାଆ ଗେହ୍ଲ


ମାତୃତ୍ଵର ମୂଲ  ସବୁଠି ସମାନ

   ଯା'ଠାରେ ଅଛି ଜୀବନ

ହେଉ ବା ମଣିଷ ଅବା ପଶୁ ପକ୍ଷୀ

    ମାଆ ଅଟେ ମୂଲ୍ୟବାନ


ମା କୋଳ ଝୁଲଣ ନିତ୍ୟ ବୃନ୍ଦାବନ

   ପୁଲକଇ ମନପ୍ରାଣ

ଅୟୂତ ଜନ୍ମର ପୂନ୍ୟ ଫଳେ ମିଳେ

   ମାଆ ମମତା ବନ୍ଧନ    


ଶୂନ୍ୟ କଳସୀରେ ପୂର୍ଣ୍ଣତାର ପ୍ରାପ୍ତି

   ଶୁଭାରମ୍ଭ ହୋଇଥାଏ

ମାତୃତ୍ଵ ପ୍ରାପତି ଯାହା ପାଇଁ ହୁଏ

   ତା' ପାଇଁ ଜୀବନ ଦିଏ   


ବକ୍ଷର ଅମୃତ ଦାନ ଦେଇ ମାତା

    ଦିଏ ପ୍ରେମ ମଧୁ ଧାରା

ମମତା ରଜ୍ଜୁରେ ବାନ୍ଧି ଦେଇ କରେ

     ଜୀବନକୁ ଫୁଲ ତୋରା 


ବିପଦ ଆପଦ ଭ୍ରୁକ୍ଷେପ ନ ଥାଏ

    ମାଆର ମମତା ପାଇଁ

ସୁଖରେ ବିଭୋର ଦୁଃଖରେ ଅଧୀର

    ପିଲା ପାଇଁଁ ହୁଏ ସେହି   


ଜୀବନ ଯାତ୍ରାରେ ଆଶିଷ ଢାଳଇ

   ଗଢ଼େ ପିଲା ଭବିଷ୍ୟତ

ପ୍ରତିକ୍ଷଣେ ପୁଣି  ଜୟ ହୁଏ ତାର

   ସନ୍ତାନ ହୁଏ ଚନ୍ଦ୍ରିତ  


ଅଦମ୍ୟ ସାହସ ପୂର୍ଣ୍ଣ ଅଭିଳାଷ

   ତାହାରି ସନ୍ତାନ ପାଇଁ

ମିଠା ତା ମମତା ମିଠା ତା ବନ୍ଧନ

   କେଉଁ ସମ୍ପର୍କରେ ନାହିଁ   


ଜୀବନର ଧାରା ବଦଳି ଗଲେ ବି

    ତା'ପାଇଁ ସବୁ ସମାନ

ହେଉ ଅମାବାସ୍ୟା ହେଉ ବା ପୂର୍ଣ୍ଣିମା

    ମମତା ହୁଏନା ନ୍ୟୁନ    


ମନ ଦର୍ପଣରେ ଉଙ୍କି ମାରେ ସଦା

   ମାଆର ମମତା ପ୍ରୀତି

ସ୍ଥାନ କାଳ ପାତ୍ର ଫରକ ପଡେନା

    ସନ୍ତାନ ହିଁ ତାର ମୋତି  


ଜହ୍ନ ପରି ମାଆ ଶୀତଳ ଆଲୋକ

   ଦେଇ ଥାଏ ଅବିରତ

ଅଯାଚିତ ଭାବେ ଢାଳି ଚାଲିଥାଏ

   ମମତା ମୟ ଅମୃତ     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action