ମାଆ ଓ ମମତା
ମାଆ ଓ ମମତା
ମାଆ ସିଏ ଯିଏ
ଈଶ୍ୱର ଆଉ ପ୍ରକୃତିଙ୍କ ଶ୍ରେଷ୍ଠ ସର୍ଜନା
ଯିଏ ସୁନ୍ଦର ସୃଷ୍ଟିର ପରିକାଳ୍ପୀକା
ନୂଆ ଜୀବନର ଅୟମାରମ୍ଭ କରେ
ପ୍ରତ୍ୟେକ ଜୀବନର ପ୍ରଥମ ପରିଚୟ
ଯାର ମମତା ସାଗର ପରି ରତ୍ନଗର୍ଭା
ତାର ଅସରନ୍ତି ଦୟା କରୁଣା
ସିଏ ସଂସ୍କାରର ପରିପୂର୍ଣ୍ଣ ପ୍ରତିମୂର୍ତ୍ତି
ଶିକ୍ଷା ନୈତିକତାର ଆଦର୍ଶ ପ୍ରତିଛବି
ସିଏ ଧରିତ୍ରୀ ପରି ସର୍ବଂସହା
ତାର ସ୍ନେହ ଅମୁଲ୍ୟ ହୃଦୟ ବିଶାଳ
ଅନୁଶାସନ ଅଦ୍ୱିତୀୟ ସେ କ୍ଷମାଶୀଳ
ସେ ସ୍ନେହ ପ୍ରଦାୟିନୀ ଅନ୍ନପୂର୍ଣ୍ଣା
ଅଭୟ ପ୍ରଦାୟିନୀ ଅନ୍ନଦାତ୍ରୀ
ସଂସାରର ଶ୍ରେଷ୍ଠ ଆଶ୍ରୟଦାତ୍ରୀ
ତାର ପଣତ ଅକ୍ଷୟ ଭଣ୍ଡାର
ସ୍ବର୍ଗୀୟ ସୁଷମାରେ ଭରପୁର
ଅମୃତର ନିର୍ଝରିଣୀ ସିଏ
ମମତାର ଧାରା ବହେ ଝର ଝର
ଯାହାର ରହିଛି ଅନେକ କ୍ଷମତା
ହୃଦୟରେ ଭରପୁର ଆତ୍ମୀୟତା
ସଂସାର ପାଇଁ ସେ ସମର୍ପିତା
ସନ୍ତାନର ଶ୍ରେଷ୍ଠ ନିରାପତ୍ତା
ମାଡ଼ ଦିଏ ଝଡ଼ ସହେ
ସନ୍ତାନ ରୂପୀ ଫସଲର ବାଡ଼ ସିଏ
ଈଶ୍ୱରଙ୍କ ପାଖେ ବ୍ରତ କରୁଥାଏ
ଉପବାସ କରି ମାନସିକ ରଖିଥାଏ
ବିଶ୍ୱାସ ଭକ୍ତିରେ ଛଳନା ନଥାଏ
ଭଲପାଇବାରେ ସ୍ୱାର୍ଥ ନଥାଏ
ତ୍ୟାଗ ମମତାର ମୂଲ୍ୟ ମାଗି ନଥାଏ
ମାଆ ସିଏ ଯାହା ନାଁ ଧନ୍ୟ
ତାର ମମତା ବି ଧନ୍ୟ
ଋଣ ତାର ଶୁଝିଛି କି କିଏ
ଋଣ ତାର ଶୁଝିବ ବା କିଏ
ମାଆ ସିଏ ମାଆ ସିଏ ।
