ମାଆ ଏକ ନିଃସର୍ତ୍ତ ଶବ୍ଦ
ମାଆ ଏକ ନିଃସର୍ତ୍ତ ଶବ୍ଦ
ଏ ସାରା ଜଗତେ ମାଆ ନାମ ସତେ
କେତେ ସୁନ୍ଦର ମଧୁର
ଅମୀୟ ପ୍ରେମର ଦିବ୍ୟ ଗନ୍ତାଘର
ମମତାର ପାରବାର।
ସେନେହ ସୋହାଗ ପ୍ରୀତି ଅନୁରାଗ
ଝରେ ସଦା ଅବିରତ
ସନ୍ତାନ ର ଖୁସି ମାଆ ପାଇଁ ହସ
ସହି ସହି କେତେ କଷ୍ଟ।
ଜନମ କାଳରୁ ସନ୍ତାନକୁ ଶିକ୍ଷା
ଦେଇଥାଏ ମାଆ ସଦା
ସେଥିପାଇଁ ମାଆ ସନ୍ତାନର ଗୁରୁ
ବେଦ ଶାସ୍ତ୍ର କହେ ସିଧା।
ବୋଧରେ ମାଆ ର ବିଶ୍ୱାସର ଝର
ଆକଟରେ ମିଳେ ଶ୍ରଦ୍ଧା
କଥାତ ମାଆର ଅମୃତ ସମାନ
କାଟିଦିଏ ସର୍ବ ବାଧା।
ଚାଲିବା ଶିଖାଏ କାନ୍ଦି ସେ ହସାଏ
ପ୍ରତି ପଦକ୍ଷେପେ ମାଆ
ପଣତ କାନିରେ ପୋଛି ଦେଇ ଲୁହ
ତୁନି କରେ ମୋର ରାହା।
ଧନ ଜନ ରତ୍ନ ମିଳିବ ଜଗତେ
ମାଆ କିନ୍ତୁ ମିଳେ ନାହିଁ
ଥରେ ଚାଲିଗଲେ ତା ସ୍ନେହ ପରଶ
କେହି କେବେ ଦେବ ଭାଇ!!
ଅଭିଧାନେ ମାଆ ନିଃସର୍ତ୍ତ ଶବଦ
ଅର୍ଥ ତାର କାହିଁ କେତେ
ଯେତେ ବୁଝାଇଲେ ବୁଝି ତ ହୁଏନି
କେମିତି ଜାଣିବା ସତେ।
ସନ୍ତାନର ପାଇଁ ସରଗର ଧାମ
ଯୁଗେ ଯୁଗେ ଅଟେ ମାଆ
ପ୍ରଣାମ କରୁଛି ତାର ଶ୍ରୀ ଚରଣେ
ଜୀବନ ନାଵ ରେ ସାହା।
