ମାଆ ବାପ ଆମର ଶ୍ରେଷ୍ଠ ସମ୍ପଦ
ମାଆ ବାପ ଆମର ଶ୍ରେଷ୍ଠ ସମ୍ପଦ
ମାଆ କୋଳେ ଶିଶୁ ଦୁନିଆ ଡରେନା
ବାପ ଥିଲା ପୁଅ ସଭାରେ ହାରେନା
ମାତା କାମଧେନୁ ସମା
ବାପା କଳ୍ପବଟ ସେନେହ ଆକଟ
ସକଳ ସୁଖର ଧାମା ।
ପୁଅ ହୋଇଥାଉ ଛୋଟା କେମ୍ପା ଅନ୍ଧ
ମାଆର ଆଖିରେ ସେ ପୂନେଇ ଚାନ୍ଦ
ଝିଅ ହେଉପଛେ ଠୁରି
କାଳି କି କୋତରି ଅଥବା ପୋଚରି
ମାଆର ସରଗ ପରୀ ।
ପିତା ତ ରକ୍ଷକ ପରିବାର ମୁଖ୍ୟ
ଶିରାଳ ଶରୀର ବଜ୍ର ସମ ଦକ୍ଷ
ସବୁ ଠାରୁ ପାରିବାର
ମାଆ ମମତାର ତ୍ୟାଗର ମନ୍ଦିର
ନାହିଁ ତାର ପଟାନ୍ତର ।
ସନ୍ତାନ ପାଇଁକି
ଉଭୟେ ପାଗଳ
ସନ୍ତାନ ମୁଖରେ ଆନନ୍ଦ କଲ୍ଲୋଳ
ନିଜେ ନଖାଇ ନପିଇ
ସନ୍ତାନ ପାଇଁକି ଗୋପନେ ସାଇତି
କେଡ଼େ ଯତ୍ନେ ରଖିଥାଇ ।
ପୁଅ ଝିଅ ପାଠ ପଢ଼ିବାପାଇଁ
ଯାହା ଯାହା ଲୋଡ଼ା ଖଞ୍ଜନ୍ତି ରହି
ଦୀପ ପରି ଜଳି ଜଳି
ଦୁଃଖର ଜହର ପିଇ ଅବିରଳ
ସନ୍ତାନର ସୁଖ କଳି ।
ପିତା ମାତା ଆମ ଲକ୍ଷ୍ମୀ ନାରାୟଣ
ଜୀବନ୍ତ ଦେବତା ଦୃଶ୍ୟ ଭଗବାନ
ତାଙ୍କ ସେବା ଆମ କାମ୍ୟ
ବାର୍ଦ୍ଧକ୍ୟେ ସହାୟ ଦେଇ ବରାଭୟ
ରଖିବା ତାଙ୍କରି ନାମ ।