ମା
ମା
ମାଆ ତୁ ତ୍ୟାଗର ଜୀବନ୍ତ ମୂରତି
ମମତା ଭରା ସାଗର,
ଈଶ୍ଵରକୁ କିଏ ଦେଖିଥିବ କାହିଁ
ତୁହି ମୋ’ପରମେଶ୍ଵର ।
ଦେଶ ଜଗତରେ ବିଭିନ୍ନ ପ୍ରାନ୍ତରେ
ଭିନ୍ନ ଭିନ୍ନ ତୋର ନାମ,
ଶଇଶବ କାଳୁ ବୋଉ ସମ୍ବୋଧନେ
ପାଇଛି ମୁଁ ପୂର୍ଣ୍ଣକାମ ।
ସାଗର ଗଭୀର ମାପଇ ମଣିଷ
ତୋ’ହୃଦ ମାପିବ କିଏ,
ତୋ’ ବାତ୍ସଲ୍ୟ ପ୍ରେମ ମୋହେ ଭଗବାନ
ଧାରାରେ ଜନମ ନିଏ ।
ଗର୍ଭରେ ଧାରଣ କରିବା କାଳରୁ
ସନ୍ତାନ ପାଳୁ ସ୍ନେହରେ,
ଆଖି ପଲକରୁ ଲିଭେନି ମମତା
ମହାପ୍ରୟାଣ କାଳରେ ।
ଦଶଦିଗେ କାହିଁ ଏ ମହିମଣ୍ଡଳେ
ତୋପରି ଦେବତା ନାହିଁ,
ଦେବା କାର୍ପଣ୍ୟର ସେବାଫଳ ତୋର
କିଏ’ବା ଭୁଲି ପାରଇ ।
ବଡ ଭାଗ୍ୟହୀନ ଅଟେ ସେ’ ସନ୍ତାନ
ମାଆ ପାଦ ଯେ’ ନ’ପୂଜେ,
ମନୁଷ୍ୟ ଜନମ ପଶୁତୁଲ୍ୟ ତା’ର
ଧିକ ମଣିଷ ସମାଜେ ।
