STORYMIRROR

Arati Sahoo

Tragedy

3  

Arati Sahoo

Tragedy

ମା

ମା

1 min
13.7K


ଲୋଳିତ ଚର୍ମ, ଶୁଷ୍କ ଚାହାଣି

ସଜନା ମୂଳକୁ ଆଉଜି

ଠିଆ ହୋଇଛି ଯେ,

ସେ ମୋର ମାଆ।


ଆଖିରେ ତାର ଆଖିଏ ବିଶ୍ୱାସ,

ଅବିଳମ୍ବେ ଫେରିବି ତା କୋଳକୁ।

ଆଲୋଡିତ ହୁଏ ମୋ ହୃଦୟ,

ରାତି ଥିବ ତ ଏ ସ୍ୱପ୍ନକୁ?


ମନରେ ଉଙ୍କି ମାରେ ଅବିଶ୍ୱାସ,

ସାତଦରିଆ ସେପାରିରୁ,

ବିଳମ୍ବ ହେବନି ତ ସତେ,

ଲେଉଟିବି ଏତେ ଦୂରରୁ।


ଶୀର୍ଣ୍ଣ କାୟା,ଧବଳକେଶୀ,

ଆଉଁସି ଦିଏ ଯେ ମୋର ମୁଣ୍ଡକୁ,

ସିଏ ମୋର ମାଆ।


ମଉନେ ଝୁରେ ସେ, ମନେ ହୁଏ,

ବୋଧେ, ମୋର ଅଳି ଅର୍ଦଳିକୁ,

ମନରେ ହୁଏତ ଭାବୁଥିବ ସତେ,

ମୁଁ, ଫେରିଯିବି ପରା ପୁଣି ଶୈଶବକୁ।


ପଣତ କାନିରେ ଲୁଚାଇ ମୋତେ ସେ

ନାନାବାୟା ଗୀତ ଶୁଣାଇଦେଵ,

ପୁଣି ଥରେ ମୋତେ ଆକଟ କରି ସେ,

ନିଜେ ନିଜେ ପୁଣି କୁହୁଳୁଥିବ।


ଲୁହ ତାର ସବୁ ନିଗିଡି ଯାଇଛି,

ମୋ ଚଲା ପଥକୁ ଧୋଇ ଧୋଇ।

କଣ୍ଠ ତାର ଆଜି ନିରବିଯାଇଛି,

ମୋ ପାଇଁକି ଗୀତ ଗାଇ ଗାଇ।


ପାଉନାହିଁ ଆଶା, ମୋ ଲେଉଟିବା ଯାଏ,

ସଜନା ମୂଳକୁ ଆଉଜି ରହିବ,

ଅପେକ୍ଷା କରିବ,

ମୁଣ୍ଡ ଆଉଁସିବ ,

ଏଇ ମୋର ମାଆ।


ଦେଖିଛ କି ମୋର ମାଆକୁ?

ସଞ୍ଜୁଆ ତାରା କି ପାହାନ୍ତି ତାରା ସେ,

ପଚାରିବି ଆଜି କାହାକୁ?


ମାଟିର ଦୀପ ସେ, ସଳିତା ବି ସିଏ,

ତେଲ ବିନା ସୁଦ୍ଧା ସିଏ ଜଳୁଥାଏ,

ଛାଡ଼ି ଯାଇ ଥିଲି ଯାହାକୁ।

ଦେଖିଛ କି ମୋର ମାଆକୁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy