STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ମା'ର ପଣତ

ମା'ର ପଣତ

1 min
26.9K


କଆଁ କୁଆଁ ଡାକେ ଶୁଭେ ମା' ସ୍ବର

ଶୁଭେ ପ୍ରାଚୀ ଦିଗବଳୟେ

ସାଗର ମୂର୍ଚ୍ଛନା ତୋଳେ ମା' ଡାକ

ଶୁଭେ ମଧୁର ମଳୟେ ।।

ମା'ର ମମତା ଅମୃତ ମହକ

ସରଗୁ ପଡଇ ଝରି

ମା'ର ପଣତ ସୁରକ୍ଷା ବଳୟ

ସୋହାଗ ସରାଗ ଡୋରି ।।

ରୁଧିରର ସ୍ରୋତ ବକ୍ଷରୁ ପ୍ଳାବିତ

ମନ ତା' ପୂତ ପାବନୀ

ସନ୍ତାନ ହିତରେ ଝରାଏ ସେ ଅଶ୍ରୁ

କରୁଣାର ସ୍ରୋତସ୍ଵିନୀ ।।

ଆକାଶ ଛାତିରୁ ଜହ୍ନ ସେ ତୋଳଇ

ସନ୍ତାନ କରିଲେ ଅଳି

ଛାତିଟାକୁ ସିନା ପଥର କରଇ

ଯେତେ ଯିଏ କରେ ଗାଳି ।।

ଫେରିବା ବାଟକୁ ଚାହିଁ ବସିଥାଏ

ନୀରବତା କହେ କଥା

ମାଗେ ନାହିଁ କିଛି ଦାନ ତା' ଅନେକ

ମରମେ ମରଇ ବ୍ୟଥା ।।

ମନର ଦୁଃଖକୁ ପିଇ ଯାଏ ଓଠ

ହସୁଥାଏ କିରି କିରି

ତ୍ୟାଗ ବଳିଦାନ ପଟାନ୍ତର ନାହିଁ

ସତେ କି ସରଗ ପରୀ ।।

ଜ୍ୟୋତିର୍ମୟୀ ଜ୍ୟୋତି ଶିଖାର ସମ୍ଭାର

ପୁଣ୍ୟତୋୟା ମନ୍ଦାକିନୀ

ତମିସ୍ରା ବୁକୁରେ ଅଖଣ୍ଡ ଦୀପାଳି

ପୁଣ୍ୟମୟୀ ସୁହାସିନୀ ।।

ପ୍ରୀତିର ଛନ୍ଦରେ ହୃଦୟ ତା' ଛନ୍ଦା

ଶାନ୍ତିର ରାଗିଣୀ ଝରେ

ଦୁଃଖ ନଦୀ ତୀରେ ସୁଖ ଅନ୍ଵେଷଣେ

ଭ୍ରମୁଥାଏ ନୀରବରେ ।।

ହିଂସା ଅଭିମାନ କପଟ ଚାତୁରୀ

ମନକୁ ତା' ଛୁଏଁ ନାହଁ

ସାମ୍ୟ ସୌହାର୍ଦ୍ଦ୍ୟର କୁଳୁକୁଳୁ ଧାରା

ହୃଦୟ କୁ ଯାଏ ଛୁଇଁ ।।

ସରଗଠୁ ବଡ ନିର୍ମଳ ନିଶ୍ଚଳ

ଦୟାର ପୂର୍ଣ୍ଣ ନିର୍ଝରୀ

ଦୁଃଖ ରେ ସୁଖରେ ଲୁହରେ ଲହୁରେ

ବରଷେ ମମତା ବାରି ।।

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational