STORYMIRROR

Narayan chandra Senapati

Abstract Inspirational

3  

Narayan chandra Senapati

Abstract Inspirational

ମା'ର ମମତା

ମା'ର ମମତା

1 min
254

ଅଲିଭା ଅଭୁଲା ତା ସ୍ମୃତି ସୁଷମା

ମନ୍ଦ ମନ୍ଦ କହେ କଥା

ମହୁଠାରୁ ମିଠା ଜହ୍ନଠୁ ଶୀତଳ

ସେହି ମା'ର ମମତା ।

ଯେଉଁ କୋଳ ଦିଏ ସରଗର ସୁଖ

କି ଆନନ୍ଦ ମା' କୋଳ

ନିଦାଘ ରଶ୍ମିଟା ସନ୍ତାନେ ବାଜିଲେ

ତା ହୃଦୁ ବହଇ ଝାଳ ।

ମା' କାଖରେ ଥିଲେ ଶିଶୁ ଭାବୁଥାଇ

ଚଢୁଛି ସ୍ୱର୍ଗ ନିଶୁଣୀ

ମା' ମିଠା ସ୍ପର୍ଶ ମୃଦ୍ୟ ହସ ଭରା

ରଚେ ଅମୃତ କାହାଣୀ ।

ରୋଗବେଳେ ଯେବେ ତା ହାତ ବାଜଇ

ବ୍ୟାଧି ହୁଏ ଉପଶମ

ତା ପାଶେ ଥିଲେ ତା ଅମୃତ ସନ୍ତାନ 

ଡରଇ ଡାହାଣୀ ଯମ ।

ତା' ଓଠର ହସ ସୁନ୍ଦର ପସରା

ଭାଷା ସାହିତ୍ୟରେ ଶ୍ରେଷ୍ଠ

ମିଷ୍ଟ ଭାଷା ଦେଇ ସୁସଂସ୍କାର ବାଣ୍ଟି

କରେ ମହୀଧାମେ ଜ୍ୟେଷ୍ଠ ।

କି ଯାଦୁ କେଜାଣି ତା ଆଖିରେ ଅଛି

(ସେ) ମୁହଁ ପଢି ଜାଣେ ଦୁଃଖ

ନିଜେ ଜଳି ଜଳି ହସାଏ ଶିଶୁଙ୍କୁ

ମର୍ତ୍ତ୍ୟେ ଜୀଇଥିବା ଯାକ ।

ସନ୍ତାନ ଝୁଣ୍ଟିଲେ କ୍ଷତାକ୍ତ ହୁଏ ସେ

ହୃଦୟୁ ଝରେ ରୁଧିର

ତା କାନ୍ଦ ଯନ୍ତ୍ରଣା ସହିପାରେ ନାହିଁ

ଅଶ୍ରୁ ବୁହେ ଧାର ଧାର।

ଦିଅଁ ଦେବତାଙ୍କୁ କରୁଥାଏ ପୂଜା

ତା' ଧନର ଶୁଭ ପାଇଁ

ବ୍ରତ ଉପବାସ କରି ସ୍ବପ୍ନ ଦେଖେ

ଭବିଷ୍ୟ ଗଢିବା ପାଇଁ ।

ସେହି ଆମ ପୂଜା, ସେହି ଆରଧାନା

ସେହି ଆମ ଇଷ୍ଟ ଦେବୀ

ଅବର୍ଣ୍ଣନୀୟ ସେ ମା'ର ମମତା

କିସ ବା ବର୍ଣ୍ଣିବ କବି ?

ମା' କୋଳ, କାଖ ପାଇବା ପାଇଁକି

ଭଗବାନ ମର୍ତ୍ତ୍ୟେ ଜନ୍ମ

ସେହି ସ୍ଥାନ ଅଟେ କାଶୀ ବୃନ୍ଦାବନ

ସେହି ବ୍ରହ୍ମ, କର୍ମ, ଧର୍ମ ।


Rate this content
Log in

Similar oriya poem from Abstract