ମା ପାଇଁ ଫୁଲଟିଏ
ମା ପାଇଁ ଫୁଲଟିଏ
ହୃଦୟ ବୃକ୍ଷରୁ ତୋଳିଛି ମା ଲୋ
ତୋ ପାଇଁ ଗୋଟିଏ ପୁଷ୍ପ
ପୁଷ୍ପ ସଙ୍ଗେ ଅଛି ମୋ ଆଖି ଜଳର
ଆତୁର ଆକୁଳ ବାଷ୍ପ ।
ମଉଳା ନୁହେଁ ଲୋ ସଦ୍ୟ ପ୍ରସ୍ଫୁଟିତ
ସୌରଭ ରହିଛି ଭରା
କେତେ ଶରଧାରେ ଆଣିଛି ତୋ ପାଇଁ
ସାଜିବୁ ଜଗତେ ହୀରା ।
ନାଲି ମନ୍ଦାରକୁ ତୋଳିଛି ମା ଲୋ
କଣ୍ଟକିତ ପଥେ ଯାଇ
ପାଦର ରୁଧିର ପୋଛି ଦେବୁ ମୋର
ତୋହରି ଆଶିଷ ଦେଇ ।
ଝଡି ଶ୍ରାବଣରେ ଦେଖି ଥିଲି ନେତ୍ରେ
ସର କୋଳେ ପଙ୍କଜିନୀ
ଆଶ୍ଵିନ ତିଥିକୁ ମନେ ରଖି ଥିଲି
ମଣ୍ଡିବେ ମୋ ଠାକୁରାଣୀ ।
ମୃତ୍ୟୁକୁ ନଡରି ଲମ୍ଫ କୁଦ ମାରି
ତୋଳିଲି ମୁଁ ସରସିଜ
ଆସ ମା ପାର୍ବତୀ ଜାଳେ ଆଶାବତୀ
ଯଜ୍ଞ ବେଦୀରେ ବିରାଜ ।
ଅପରାଜିତାକୁ ଚଢାଇବା ପାଇଁ
ଆଣିଛି ଜଗତଜିତା
ଶକ୍ତି ଧର୍ଯ୍ୟ ଦେଇ ସାଇତି ରଖିବୁ
ମିଳୁ ମୋତେ ତୋର ପତ୍ତା ।
ଶ୍ଵତ ରଙ୍ଗେ ତୁହି ଅତି ଆନନ୍ଦିତ
ଅର୍ପେ ମୁଁ ଟଗର ହାର
ହରିଦ୍ରା ରଞ୍ଜିତ ତୋ ଶୋଭା ବିଦିତ
ଘେନ ମାଗୋ କନିଅର ।
ସବୁ ତ ତୋହରି ସୃଷ୍ଟିର ସୌନ୍ଦର୍ଯ୍ୟ
କେଉଁ ଫୁଲ ଦେବି ତୋତେ
ମନ ଫୁଲଟିଏ ତୋଳିଲ ତୋ ପାଦେ
ରଖିବୁ ପ୍ରଫୁଲ୍ଲ ଚିତ୍ତେ ।
ପାର୍ବଣ ପରବେ ଆସ ମା ଗରବେ
ଧରା ପୃଷ୍ଠ ଦୁଃଖ ପାଇଁ
ସରାଗରେ ଯେଉଁ ଫୁଲ ଚଢାଇଲି
ଜଗତର ହିତ ସେହି ।
