ମା’ ବିନା ଜୀବନ କଳ୍ପନା ନାହିଁ
ମା’ ବିନା ଜୀବନ କଳ୍ପନା ନାହିଁ
ନିଦ ନ ଆସିଲେ ଦୁଃସ୍ୱପ୍ନ ଦେଖିଲେ
ତୋ କୋଳେ ଶାନ୍ତିରେ ନିଦ ଲାଗିଯାଏ
ଖେଳ ପାଠ ପଢା ଯୋଗୁଁ ଯେତେ ଥକା
ତୋର ହାତ ଲାଗି ତାହା ମେଣ୍ଟିଯାଏ ।
ଆଜି ସେ ମାଆର ନିଦ ଯେ ହଜିଛି
ଶୋଇ ପାରେ ନାହିଁ ଦଣ୍ଡେ ଘଡ଼ି ଯିଏ
ନିଜ ସନ୍ତାନର କଥା ଅକଥାକୁ
ଶୁଣିପାରେ ନାହିଁ ତା’ କାନେ ସିଏ ।
ସେବା ସୁଶ୍ରୁଷା ତ ପଛକଥା ହେଲା
ମିଠାକଥାଟିକୁ ପାଉଟି ହେଲା
ଆଶିଷ ସନ୍ତାନେ ହେବ କି ମାଆର
ଶେଷ ଜୀବନ ଯା’ ଦୁଃଖରେ ଗଲା ।
ସ୍ୱାର୍ଥ ବିନା ଯିଏ ସାରା ଜୀବନକୁ
ଜଳାଞ୍ଜଳି ଦେଲା ସନ୍ତାନ ପାଇଁ
ତାଙ୍କ ସୁଖ ଶାନ୍ତି ପ୍ରଥମେ ରଖିଲା
ନିଜ ଅସ୍ତିତ୍ୱକୁ ପାସୋରି ଦେଇ ।
ଆଖିରେ ଆଖିଏ ଲୁହ ତାର
ଇଚ୍ଛା ବହୁଦୂର ଚାଲିଯିବା ପାଇଁ
ତା ଭିତରେ ମା’ ମନ ଭାବୁଅଛି
ମୋ ଲୁହ ପଡ଼ିଯିବ ତ ନାହିଁ ।
ସନ୍ତାନର ସ୍ୱର୍ଗ ମା’ ଚରଣରେ
ମା’ ବିନା ଜୀବନ କଳ୍ପନା ନାହିଁ
ତା ସ୍ନେହ ଶରଧା ସମର୍ପଣ ତ୍ୟାଗ
ଶବ୍ଦ ଉପମାର ଭିତରେ କାହିଁ ।
ମା’ର ମହତ ସୃଷ୍ଟି ଥିବା ଯାଏ
ଅସୀମ ଅଭୁଲା ହୋଇ ରହିବ
ସବୁ ମାତାଙ୍କୁ ଭୂମିଷ୍ଠ ପ୍ରଣାମ
ସନ୍ତାନର ଦୋଷ କ୍ଷମା କରିବ ।
