ଲୁଟିଆ
ଲୁଟିଆ
"କାନ୍ଦୁଥା ଯାହା ପାଉଛୁ ବାନ୍ଧୁଥା" ନ୍ୟାୟ ଏଠି ତର୍କ ସଙ୍ଗତ
ଆନକୁ ଲୁଟି ନେବାକୁ ସଭିଏଁ ତତ୍ପର ତୟାର ହୋଇ ଖଡ୍ଗହସ୍ତ
ଲୁଟିବାର କଳା କାରିଗରୀ କୌଶଳ ସଭିଙ୍କର ଅସ୍ଥି ମଜ୍ଜାଗତ
ରକ୍ତ ଶ୍ବାସ ଶିରାପ୍ରଶିରା ଧମନୀରେ ଏଇ ପ୍ରତିଭା ପ୍ରବାହିତ।
କିଏ ଲୁଟେ ଏଠି ଆଇନର ଗଳା ବାଟର ଫାଇଦା ଉଠାଇ
ତ ଆଉ କିଏ ଲୁଟେ ନିରସ୍ତ୍ର ନିରୀହ ତଣ୍ଟିରେ ଛୁରୀ ଦେଇ
ତ ଆଉ କିଏ ସାରଗର୍ଭକ ଓଜସ୍ବିନୀ ଜାଦୁଗରୀ ଭାଷଣରେ
ତ ଆଉ କିଏ ଛଳ ଛଳ ଢଳ ଢଳ ଆଖିର ସମ୍ମୋହନରେ।
କିଏ ଲୁଟେ ଏଠି ବାହୁବଳେ ଖୁଲମଖୁଲା ସ୍ପଷ୍ଟ ଦିବାଲୋକରେ
ତ ଆଉ କିଏ ଭୀରୁପଣେ ବିଜନ ରାତିର ଘନ ଅନ୍ଧକାରରେ
ତ ଆଉ କିଏ ଛପି ଛପି ଗୋଧୂଳି ବେଳାର ମୁହଁ ଅନ୍ଧାରରେ
ତ ଆଉ କିଏ ସ୍ବାର୍ଥୀ ବିଶ୍ବାସଘାତୀ ଛାଇ ଆଲୁଅର ଖେଳରେ।
ଲୁଟିବା ଆଉ ଲୁଟେଇବାରେ ଏଠି ସଭିଏଁ ବିଶେଷ ମାହିର
ଭଦ୍ରାମିର ମୁଖା ପିନ୍ଧି ଆପଣାର ଆଧିପତ୍ୟ କରନ୍ତି ଜାହିର।
