STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଲୁପ୍ତ କିସମ

ଲୁପ୍ତ କିସମ

1 min
261

ତୁମ ସହରୀ ହାୱାରେ

ଜଳି ଯାଇଛି ଆଜି

ନିରୀମାଖି କଇଁ ଆଉ ସ୍ୱାଭିମାନୀ ପଦ୍ମ,

ଘରବାରିର ଦୌଡ଼ରେ 

ପଡ଼ିଆ ପଡ଼ିଛି ଆଜି 

ଶାରଦ ଡାଳୁଅ ପରି ଫସଲି କିସମ।


ରୋଜଗାରର ଦ୍ୱାହିରେ

ବୃଦ୍ଧ ପିତା ମାତା ଆଜି

ଲୁହ ଢାଳେ ନିରବରେ ମାଟିକୁ କାମୁଡ଼ି,

ପ୍ରଗତିର ଘୋଡ଼ା ବେପାରରେ

ପରିବାର ଛୋଟ ହୁଏ ଆଜି

ବୃଦ୍ଧାଶ୍ରମରେ ଉପସ୍ଥାନ ସଂଖ୍ୟା ଯାଇଛି ବଢ଼ି। 


ଦାରିଦ୍ର୍ୟର କ୍ରୁର ଚାପରେ

ନିଲାମ ହେଉଛି ଆଜି

ବାତ୍ସଲ୍ୟ ଓ ମମତାର ନିଇତି ଶସ୍ତାରେ,

ତୁମ କ୍ଷମତାର ନିଶାରେ

ଚୁର ହୋଇ ତୁମେ ଆଜି

ଫୁଟପାଥକୁ ଆଖିବୁଝି ଚାଲୁଥାଅ ରାଜ ରାସ୍ତାରେ। 


ଆଧୁନିକତାର ମାୟାରେ

ଅସଂଖ୍ୟ ଅଟ୍ଟାଳିକା ଏଠି

କିନ୍ତୁ ଘରର ମହକ ଆଜି ଯାଇଛି ଉଡ଼ି,

ଧର୍ମର ପ୍ରଦର୍ଶନୀରେ

ମନ୍ଦିର ମାଳ ମାଳ ଆଜି

ସ୍ବଧର୍ମର ମୂଳ ରଙ୍ଗ ଯାଇଛି ଛାଡ଼ି। 


ପ୍ରତିଷ୍ଠାର ପ୍ରତିଯୋଗିତାରେ

ପରାସ୍ତ ହୋଇଛି ଆଜି

ପ୍ରେମ ଓ ବିଶ୍ୱାସର ମୃଦୁ ପଦଚାଳନା,

ଗ୍ରାସିବାର ଘୋର ନିଶାରେ

ଆଜି ଲୁପ୍ତ ପ୍ରାୟ ସମାଜରୁ

ତ୍ୟାଗ ଓ ସମର୍ପଣର ଶୁଦ୍ଧ ପ୍ରସ୍ତାବନା। 


ବିଜ୍ଞାନର ଅଜ୍ଞାନତାରେ

ଉଜୁଡ଼ି ଯାଇଛି ଆଜି

ପ୍ରକୃତିର ନିର୍ମୋହି ସବୁଜ ସମ୍ଭାର,

ଅଚିହ୍ନା ଭୁତାଣୁର ଆତଙ୍କରେ

ପରାସ୍ତ ମାନବ ଆଜି

ବାନ୍ଧିବାକୁ ଅସଫଳ ପ୍ରାଣକୁ ନିଜର। 


ସମାଲୋଚନାର ସାମ୍ବାଦିକତାରେ

ବାଷ୍ପୀଭୁତ ହୁଏ ଆଜି

ଆତ୍ମାନୁଶୀଳନର ନିରନ୍ତର ନିର୍ବିଘ୍ନ ସାଧନା,

ସ୍ୱାର୍ଥପରତାର ମୋହ ନିଦ୍ରାରେ

ଅଭ୍ୟସ୍ତ ମାନବ ଆଜି

ଭୁଲିଯାଏ ମନୁଷ୍ୟତ୍ୱର ଶାଶ୍ୱତ ଚେତନା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract