STORYMIRROR

Satyanarayan Sahoo

Romance Others

3  

Satyanarayan Sahoo

Romance Others

ଲୁମ୍ବିନୀର ଶେଷ ରାତି

ଲୁମ୍ବିନୀର ଶେଷ ରାତି

1 min
217


ଦୁର୍ବାର ବୈରାଗ୍ଯ‐ ଦୀପ୍ତ ସିଦ୍ଧାର୍ଥଙ୍କ ମନ


ବାନ୍ଧି କି ପାରଇ କେବେ ସଂସାର ବନ୍ଧନ ॥୧

ଜାଗତିକ ମାୟା ଫାସ ସ୍ନେହ ପ୍ରେମ ରାଗ

ତେଜିଲେ ମନରୁ ବେଗେ ସଂସାରେ ବିରାଗ  ॥୨

ଭାବ ଜନ୍ମି ତାଙ୍କ ମତି କାହିଁରେ ନ ଲାଗେ

ସତ୍ଯାନ୍ବେଷଣରେ ଚିତ୍ତ ଆନ୍ଦୋଳେ ଉଦ୍ଦେଗେ ॥୩

ପିତା ଶୁଦ୍ଧୋଦନ ରାଣୀ ଗୋପା ଓ କୁମର

ସକଳେ ସୁଶୁପ୍ତ ଛନ୍ତି ଗାଢ ନିଦ୍ରାଘୋର  ॥୪

ସୁଖଦ ବିଭ୍ରାନ୍ତି ଭୋଳେ ସର୍ବେ ଅଚେତନ

ସ୍ବେପ୍ନେ ଦେଖୁଥାନ୍ତି ଏବେ ସିଦ୍ଧାର୍ଥର ମନ  ॥୫

ବଦଳି ସଂସାର ପ୍ରତି ପ୍ରୀତି ଉତ୍ତେଜନା

ଜାଗିଛି ପରାଣେ କେବେ ନହେବ ବିମନା ॥୬  

ଯଶୋଧାରା ପ୍ରେମଧାରା ସିକ୍ତ ପ୍ରଣୟରେ

ଆବର୍ଦ୍ଧ‐ ସିଦ୍ଧାର୍ଥ‐ ମତ୍ତ ‐ ମାତଙ୍ଗ ‐ ଶଙ୍ଖଳେ  ॥୭

ସ୍ବପ୍ନ ଦେଖି ଭାଳୁ ଥାନ୍ତି ରାଜା ଶୁଦ୍ଧୋଦନ

ମାତ୍ର ଜାଗରିତ ଚିର ଥାନ୍ତି ଗଉତମ  ॥୮

ସାରଥୀ ଛନ୍ଦକ କେବେ ଆସିବେ ଏ ଠାବେ

ମାୟାରର ଶଙ୍ଖଳୁ ତାଙ୍କୁ ଉଦ୍ଧାର କରିବେ ॥୯

ଭବର ଭଙ୍ଗୁର ଲୀଳା ଅଟଇ କ୍ଷଣିକ

ଚିରନ୍ତନ ଶାନ୍ତି ଦାୟୀ ଜ୍ଞାନର ଆଲୋକ   ॥।୧୦

ଭାଳୁ ଥାନ୍ତି କଳ୍ପୁ ଥାନ୍ତି ମନେ ମନେ କେତେ

ଜଗତର ଜୀବଙ୍କର ଉଦ୍ଧାର ନିମନ୍ତେ  ॥୧୧

ସହସା ଛନ୍ଦକ ଆସି ଡାକିଲେ ସିଦ୍ଧାର୍ଥ

ପୁରବାସୀ ଓ ପ୍ରହରୀ ସର୍ବେ ନିଦ୍ରାଗତ  ॥୧୨

ସଂପ୍ରତି ମାହେନ୍ଦ୍ର କ୍ଷଣ ଆସ ବେଗେ ଏବେ

ଗଜ , ବାଜି , ରଥ ସବୁ ସୁ‐ପ୍ରସ୍ତୁତ ଠାବେ  ॥୧୩

ସକଳେ ପ୍ରଗାଢ ନିଦ୍ରା କୋଳେ ଅଚେତନ

ଧୀରେ ପାଦ ଥାପି ସେହୁ ତେଜିଲେ ବହନ  ॥୧୪

ଅତୁଳ ରାଜ ବୈଭବ ଐଶ୍ବର୍ଯ୍ଯ ଜଞ୍ଜାଳ

ଛନ୍ଦକ ସହିତ ଧୀରେ ହେଲେ ଅଗ୍ରସର    ॥୧୫

ଆରୋହୀଲେ ଆନନ୍ଦରେ ଯାଇ ହୟେ ବିଜେ

ଦୀପ୍ତ ନଭେ ସୁଧାକର କି ! ଅବା ବିରାଜେ  ॥୧୬

ଚଳାଅନ୍ତି ଗଉତମ ଅଶ୍ବ ଧୀରେ ଧୀରେ

ନୀରବେ ଛନ୍ଦକ ପଛେ ଭାସି ଅଶ୍ରୁ‐ନୀରେ  ॥୧୭

ଢାଳନ୍ତି ଶୀତାଂଶୁ ଶୀତ‐ରଜତ କିରଣ

ଚାହୁଁ ଚାହୁଁ ଅତିକ୍ରମି ବେନି ଘୋରବନ  ॥୧୮

ଅଶ୍ବାସୀନ ଗଉତମ ନାହିଁ ଖେଦ ଭୟ

ନାହିଁ ଦୈନ୍ଯ ମାୟା ମୋହ ପ୍ରଫୁଲ୍ଲ ହୂଦୟ  ॥୧୯

ପ୍ରସନ୍ନ ପ୍ରଶାନ୍ତ ମୁଖ ଧୀର ସ୍ଥିର ମତି

ରଜନୀରେ ରାଜେ ଯଥା ସ୍ଥିର ଚନ୍ଦ୍ରଜ୍ଯୋତି  ॥୨୦

ସିଦ୍ଧାର୍ଥଙ୍କ ମଧୁରୀମା ନିରେଖି ନୟନେ

ନିବର୍ତ୍ତାଇଲେ ସେ ତାଙ୍କୁ ଯିବା ଲାଗି ବନେ  ॥୨୧

ଅସହ୍ଯ କୋହକୁ ଚାପି ଗୋପନ ଅନ୍ତରେ

ବାର ବାର କରି କେତେ ବୁଝାଇବା ପରେ  ॥୨୨

ବୋଇଲେ ଗୌତମ ହାସ୍ଯ ପୁରିତ ଆନନେ

ନିରର୍ଥକ କଥା କିପାଁ କୁହ ଅକାରଣେ  ॥୨୩

ଶୁଭ ଦିନେ ଶୁଭ କାର୍ଯ୍ଯେ ଶୁଭ ମୁହୂର୍ତ୍ତରେ

ଘଟୁଛି ଯେ କାର୍ଯ୍ଯ ତୁମ୍ଭେ ଦେଖ ଆନନ୍ଦରେ  ॥୨୪

ଘୋଟକ କଣ୍ଟକ କରି ପାଦ ଠକ ଠକ

ପ୍ରବେଶ ହୋଇଲା ଯାଇ ଅନାମାର ତଟ  ॥୨୫

ଅଶ୍ବୁ ଅବତରି ଯୁବ ରାଜ ମହା ମତି

ଅଶ୍ବ , ବସ୍ତ୍ର , ଅଳଙ୍କାର ସାଥେ ଅନୁମତି  ॥୨୬

ଅରପି ଛନ୍ଦକ କରେ ଭାଷିଲେ ଏସନ

ଏ ସବୁକୁ ଘେନି ବେଗେ ବାହୁଡ ବହନ  ॥୨୭

 ଛନ୍ଦକ ମେଲାଣି ଘେନି ଅନାମା ପୁଳିନେ

ଅନାଇ ରହିଲେ ସ୍ତବ୍ଧେ ବ୍ଯାକୁଳ ନୟନେ  ॥୨୮

ସହସା ସାହସ ବାନ୍ଧି ଫେରିବାରେ ମନ

ଯୁଟାଇ ଛୁଟାଇ ଦେଲେ ଘୋଡା ତତକ୍ଷଣ ॥୨୯

ପ୍ରବେଶିଲେ ନବରକୁ ଗଭୀର ନିଶୀଥେ

କାକୁସ୍ଥ ହଦୟେ ଅତି କାତରିତ ଚିର୍ତ୍ତେ  ॥୩୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance