STORYMIRROR

Chinmaya Kumar Nayak

Tragedy

4  

Chinmaya Kumar Nayak

Tragedy

ଲୁହ

ଲୁହ

1 min
450

ଗଣ୍ଡ ଦେଶ ଦେଇ ବହି ଯାଏ ଯେବେ

ଲୁହ ଦୁଇ ଧାର ଆଖି କୋଣରୁ,

ଦୁଃଖ କେଇ କେରା ଖସି ପଡ଼େ ସତେ

ସାଇତା ହୃଦୟେ ମଞ୍ଚା ଉପରୁ। 


କୋହ ଜଳଧିରେ ଉଠିଲେ ଜୁଆର

ଧୋଇ ଯାଏ ଆଖି ବେଳାଭୂମି,

ସେଇ ଜୁଆରରେ କୂଳ ଖାଏ କେବେ

କେବେ ଆସେ ଭୟଙ୍କର ସୁନାମି। 


କେଉଁଠି କେଜାଣି ଲୁଚି ରହିଥାଏ

ମନ ଚହଲିଲେ ପଡ଼େ ଝରି,

ଛାତି ମନ ପ୍ରାଣ ଓଦା କରି ଦେଇ

ସୁଖ ସପନକୁ ଦିଏ ସାରି। 


ଲୁହ ନୁହେଁ ସଦା ଦୁର୍ବଳ ଆଖିର 

ନିସ୍ତେଜ ଏକ ପରିଚୟ,

ସେଇ ଲୁହ କେବେ ହାରି ଯାଏ ପୁଣି

ଲୁହରେ ସମ୍ପର୍କ ହୁଏ ଜୟ। 


ଲୁହ ଏକ ସ୍ବଛ ଶାନ୍ତ ହୃଦୟର

ଅଚଞ୍ଚଳ ପ୍ରତିବିମ୍ବଟିଏ,

ତୀବ୍ର ଏକ ଚିହ୍ନା ଅଚିହ୍ନା ଆଘାତେ

ଅବିଳମ୍ବେ ସ୍ୱତଃ ଚହଲି ଯାଏ। 


କେବେ ଶୋକ ଜର୍ଜରିତ ପାଦ ପାଇଁ

ଲୁହ ସାଜେ ଏକ ଆଶାବାଡି,

ବାଟ କଢ଼ାଇ ନିଏ ବହୁଦୁର ଦେଶେ

ଅନୁଭବେ ଶକ୍ତି ଯାଏ ବଢ଼ି। 


ଭୟାର୍ତ୍ତ ମନର ଆଶ୍ୱାସନା ଟୋପେ

ଭରି ଦିଏ ସାହସର ଜଳ

ତାତି ଯାଏ ଯେବେ ଜୀବନର ବାଲି

ସାଜେ ସେ ପୀୟୂଷ ସୁଶୀତଳ। 


ନିରୋଳା ମୁହୂର୍ତ୍ତ ଅନ୍ତରଙ୍ଗ ସାଥି

ଦୂରେ କେ ଛଡ଼ାଇ ପାରେ ନାହିଁ,

ଢଳି ପଡ଼ୁଥିବା ସନ୍ତପ୍ତ ମନକୁ 

ଆଦରେ ସଧିରେ ନିଏ କୋଳେଇ। 


କେବେ ବିସ୍ମୃତିର ଶୁଷ୍କ ବାଲିଚର

କେବେ ପୁଣି ଭିଜା ନଈ ତୁଠ,

କେବେ ଦିଏ ସାରି କେବେ ଦିଏ ତାରି

ଲବଣି ହୃଦୟ ଚିତ୍ରପଟ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy