ଲୁହ ପିଇ ଲହୁ ଢାଳେ
ଲୁହ ପିଇ ଲହୁ ଢାଳେ
କାହାପାଇଁ ସାଜେ ଦସ୍ୟୁ ରତ୍ନାକର
କା' ପାଇଁ ମୁଁ ଧୃତରାଷ୍ଟ୍ର ,
ମୋ' ତ୍ୟାଗର ମୂଲ୍ୟ ଦେଇ କି ପାରିବ
ସ୍ୱାର୍ଥପର ଏ ସ୍ବରାଷ୍ଟ୍ର ?
ସ୍ବରାଷ୍ଟ୍ର ନିଜେ ତ ଭ୍ରଷ୍ଟାଚାରୀଙ୍କର
ସାଜିଛି ପୃଷ୍ଠପୋଷକ ,
ରାଷ୍ଟ୍ରବାଦୀ ଆଜି ଧୃତରାଷ୍ଟ୍ରଙ୍କର
ବନ୍ଦୀଶାଳାର ରକ୍ଷକ !
ଧୃତରାଷ୍ଟ୍ର ଥିଲେ ଦ୍ୱାପର ଯୁଗର
ମାନସିକ ନପୁଂସକ,
ଏ କଳିଯୁଗରେ ମୁଁ କାଳେ ସାଜିଛି
ମିଥ୍ୟାର ଅଙ୍ଗରକ୍ଷକ !
ଅଙ୍ଗରକ୍ଷକ ମୁଁ ହେବି ବା କାହିଁକି
ଧୃଷ୍ଟ ଦୁର୍ଯ୍ୟୋଧନ ପାଇଁ ,
ମିଥ୍ୟାର ସହର ସଭିଁଙ୍କୁ ମଧୁର
ସତ୍ୟର ସତ୍କାର ନାହିଁ !
ସତ୍ୟାଗ୍ରହୀ ହୋଇ ସତ୍ୟାନୁସରଣେ
ଜୀଇଁବାର ଅଭିଳାଷ,
ସଂକୀର୍ଣ୍ଣ ପଣରେ ସଙ୍କୁଚିତ ହୋଇ
ପାଇବ କି ଜୀବନ୍ୟାସ !
କୃତଘ୍ନ-କବର ରଚା ହୋଇଛି ଏ
ଜହ୍ଲାଦଙ୍କ ଦରବାରେ,
କବର ବି ଏଠି ନିର୍ବାକ୍,ନଶ୍ୱର
ପାପୀଙ୍କର ପ୍ରହାରରେ ।
କାହା ଯନ୍ତ୍ରଣାର ବିଶଲ୍ୟକରଣୀ
କା' ସୁଖର ମରୁବାଲି,
ସମସ୍ତେ କୁହନ୍ତି ଅଲୋଡ଼ା ମଣିଷ
ଭାବନ୍ତି,ମୁଁ' ଚୋରାବାଲି' !
ଚୋରାବାଲିର ବି ସ୍ୱାତନ୍ତ୍ର୍ୟ ରହିଛି
ପାପପୁଣ୍ୟକୁ ବିଚାରେ ,
ତୁମପାଇଁ ପାପ ନୁହେଁ ଅଭିଶାପ
ପୁଣ୍ୟକୁ କିଏ ପଚାରେ !
ପ୍ରସିଦ୍ଧପୀଠ ବି ବେଳେବେଳେ ହୁଏ
ଅଳ୍ପାୟୁଷ-ଅକର୍ମଣ୍ୟ,
ମୁଁ ତ ମାତର ମଣିଷ ଇତର
ମୁଁ କିବା ହେବି ଭାଜନ !
ଭାଇ ବନ୍ଧୁ ଆଉ କୁଟୁମ୍ବକୁ ନେଇ
ଦେଖି ଚାଲେ କେତେ ସ୍ୱପ୍ନ,
ଦୁଃଖ ଲାଗେ ଯେବେ ଜଞ୍ଜାଳ- ଯୁଦ୍ଧରେ
ସ୍ୱପ୍ନ ହୁଏ ଦିବାସ୍ୱପ୍ନ ।
ନୈରାଶ୍ୟ ଭିତରେ ଆଶା ବାଣ୍ଟି ବାଣ୍ଟି
ଲୁହ ପିଇ ଲହୁ ଢାଳେ ,
ନିଜ ଲହୁ ଯେବେ ବଇରୀ ସାଜଇ
ପରକୁ କିଏ ପଚାରେ ?
ସେଦିନ ଦସ୍ୟୁକୁ ତୁମେ ଦେଇଥିଲ
"ବାଲ୍ମିକୀ" ପ୍ରମାଣପତ୍ର ,
ଦସ୍ୟୁ ନ ହୋଇ ବି ହେଲି ରତ୍ନାକର
ବିଚାରକ ବି ବିଚିତ୍ର !
କୁହ ପଛେ ଦସ୍ୟୁ ହୋଇ କ୍ଷୀଣପ୍ରସୂ
ମୁଁ ଆଗେଇ ଚାଲିଥିବି,
ମୋ' ପାଇଁ କବର ଖୋଳି ଚାଲିଥିବ
ମଙ୍ଗଳ ମନାସୁଥିବି ।
ସମୟ ଆସିବ ମୋ'ରି କବରରେ
ମଥା ପିଟି କାନ୍ଦୁଥିବ,
ଅନୁତାପ-ବହ୍ନି ଗ୍ରାସିବା ଆଗରୁ
ଏ ଦସ୍ୟୁ ସୁରକ୍ଷା ଦେବ ।