ଲୁହ ନୁହେଁ ସେ ଲହୁ
ଲୁହ ନୁହେଁ ସେ ଲହୁ
ସବୁ ସମ୍ପର୍କକୁ ଛିନ୍ନ କରି ଦିନେ
ଛାଡି ଦେଇଥିଲି ଘର
ବାପା ମାଆ ଭାଇ ଭଉଣୀ ଯେ ଥିଲେ
କରି ଦେଇଥିଲି ପର
ପ୍ରଥମ ଦେଖାରେ ତୁମ ପ୍ରତି ଦିନେ
ହୋଇଥିଲି ଆକର୍ଷିତ
ଭୁଲିଥିଲି ପରିବାରର ପ୍ରତିଷ୍ଠା
ଜାତି ଧର୍ମ ଆଉ ଗୋତ୍ର
ବହୁ ବାଧା ବିଘ୍ନ ସହିଥିଲ ତୁମେ
ଧରିବାକୁ ମୋର ହାତ
ଅବଶେଷେ ଆମେ ହୋଇଥିଲେ ଆମ
କାର୍ଯ୍ୟେ ବିଜୟ ମଣ୍ତିତ
ଆସିଥିଲି ତୁମ ଘରେ ହୋଇ ବଧୂ
ଦେଖିଥିଲି କେତେ ସ୍ୱପ୍ନ
ସ୍ୱପ୍ନ ମୋର ପୂର୍ଣ୍ଣ ହେବା ଦୂରେ ଥାଉ
କପାଳ ଲେଖା ମୋ ଭିନ୍ନ
ମହାକାଳ ଫଳ ବାହାର ସୁନ୍ଦର
ଭିତରେ ପୋଡା ଅଙ୍ଗାର
ପାଇଥିଲି ତୁମକୁ ମୁଁ ସେହି ରୂପେ
ଦିଶିଲା ସବୁ ଅନ୍ଧାର
ଫୁଲଟିଏ ହୋଇ ଫୁଟିଥିଲି ମୁହିଁ
କେବଳ ତୁମରି ପାଇଁ
ବ୍ୟବସାୟ କଲ ମୋ ଦେହକୁ ନେଇ
ଅର୍ଥ ଊପାର୍ଜନ ପାଇଁ
ଫେରିବାକୁ ଚାହିଁ ଫେରି ପାରିଲିନି
ହୋଇଅଛି ମୁଁ କ୍ଷତାକ୍ତ
ବୃନ୍ତଚ୍ୟୁତ ମୋର ପାଖୁଡା ଗୁଡିକ
ବିଚ୍ଛୁରିତ ଇତସ୍ତତଃ
ଲୁହ ନୁହେଁ ଲହୁ ଢାଳେ ମୋ ନୟନ
ଜିଇଁଛି ମୁଁ ମୃତବତ
ପ୍ରତିଦାନେ ପ୍ରେମ କରିଅଛି ମୋତେ
ପ୍ରତାରିତ ପ୍ରତାରିତ
