ଲୁହ କେବେ କେହି ଦେଇ ତ ନଥାଏ
ଲୁହ କେବେ କେହି ଦେଇ ତ ନଥାଏ
ଦୁଃଖସବୁ ଯେବେ ପିଇବା ଜାଣନ୍ତି
ପିଇଯା'ନ୍ତି ଆଖି ବୁଜି।
ନିଷ୍ଠୁର ଯନ୍ତ୍ରଣା କ୍ଳାନ୍ତ ହୋଇଯା'ନ୍ତେ
ପାରନ୍ତେନି ଦାଉ ସାଧି ।
ଲୁହ କେବେ କିଏ ଦେଇ ତ ନ ଥାଏ
ଆପେ ଆପେ ଝରିଯାଏ ।
ଝରିଗଲା ପରେ ଅଭିମାନୀ ହୋଇ
ସ୍ୱାଭିମାନେ ହଜିଯାଏ ।
ଅଭିମାନ ନେଇ ଆତ୍ମୀୟ ଦହନେ
ଜଳି ହୁଏ ଗୁପ୍ତ ସ୍ରୋତ ।
କିଏ ବା କାହିଁକି ଲୁହକୁ ବାଣ୍ଟିବ
ଲୁହ ନିଜେ ଅଭିଶପ୍ତ ।
ତୁମେ ମୋ' ଜୀବନ ଘୂର୍ଣ୍ଣି ବଳୟର
ଚୂଡାନ୍ତ ସୁଖ ସମ୍ଭାର ।
କେମିତି ଭାବିଲ ତୁମ ନୟନରେ
ଲେପିବି ଅଶ୍ରୁ ଅନଳ !
ମଣିଷ ହୋଇଛ ଦୁଃଖକୁ କାହିଁକି
ଡରି ହୁଅ ପଳାତକ ?
ଉଦ୍ଭ୍ରାନ୍ତ ଜଗତେ ଦୁଃଖ ଅପ୍ରମିତ
ଦୁଃଖ ହିଁ ପରମ ମିତ୍ର ।
ଦୁଃଖ ଦରିଆରେ ଦୁଃଖୀ ନିଜେ ଜଳେ
ଅନ୍ୟକୁ କେବେ ଜାଳେନି ।
ଦହନ ଜ୍ୱାଳାରେ ଦଗ୍ଧୀଭୂତ ହୋଇ
ହୁଏ ଜୀବନ୍ତ ମଶାଣି ।
ପଳାୟନପନ୍ଥୀ ହେଉଛ କାହିଁକି
କ୍ଷଣିକ ସୁଖକୁ ଖୋଜି !
ସୁଖ ତ ଆସିବ ; ଆସି ଚାଲିଯିବ,
ଲୁହ ଦେଇ, ଯିବ ହଜି ।
ଅନୁଭବିଛ କି ସୁଖରେ ସୁଖରେ
ତୁମରି ଜୀବନ ଚାଲେ ?
ଅପଲକ ସୁଖ ପଲକ ମାତ୍ରକେ
ଲୁଚିଯାଏ ଅନ୍ତରାଳେ ।
ସୁଖ ଦୁଃଖର ଏ ଅଳୀକ ସଂସାରେ
ନିଜେ ହିଁ ନିଜର ସାଥୀ ।
ନାହିଁ ସେ ଦ୍ଵାପର ଅଥବା ଶ୍ରୀକୃଷ୍ଣ
ବାଣ୍ଟିବେ ସ୍ଵର୍ଗୀୟ ପ୍ରୀତି !
ସୁଖରେ ଆପ୍ଳୁତ ଦୁଃଖରେ ବ୍ୟଥିତ
କାହିଁକି ହେଉଛ ତୁମେ ?
ସଂଘର୍ଷ ରଥରେ ସଂଗ୍ରାମ ସାରଥୀ
ସର୍ବତ୍ର ତୁମେ ହିଁ ତୁମେ !
କାହାକୁ ନିଜର ଭାବିବି କାହିଁକି
କିଏ ଅବା ସାତପର !
ସଂସାର ନୁହେଁ ଏ ସଉଦା ବଜାର,
ସଭିଙ୍କ ରଙ୍ଗ ହଜାର ।
ହଜାର ହଜାର ମୈତ୍ରୀ ମିଳନରେ
କୋଟିରେ ଗୋଟିଏ ମିତ୍ର ।
ତୁମ ପାଇଁ ସିଏ ସତ୍ୟର ସନ୍ଧାନୀ
ନ୍ୟାୟ ପୀଠ,ଧର୍ମ କ୍ଷେତ୍ର ।
