ଲୁଚକାଳି
ଲୁଚକାଳି
କବିତା ଖୋଜୁ ଖୋଜୁ କବିତାରୁ
କବିତା ଖସିଯାଏ ବାରମ୍ବାର
ମୋ ହୁଗୁଳା ମୁଠାରୁ ।
ତାର କୋମଳ ଛୁଆଁର ଆବେଶ
ଖାଲି ଯାହା ବିମୋହିତ କରେ ମୋତେ
ଖୋଜିବାର ନିଶା ନେଇ
ପୁଣି ଚଢେ ଆରମ୍ଭରୁ ।
ପାଣି ଟୋପାଏର ଛଦ୍ମବେଶରେ
ଦିନେ କବିତା ଢଳ ଢଳ ହୁଏ
ପଦ୍ମପତ୍ରରେ
ତୋଳି ନେଉ ନେଉ
ଅସତର୍କ ମୁହୂର୍ତ୍ତରେ
ଇଡି ହୋଇ ମିଶିଯାଏ ପାଣି ଓ ପାଣିରେ ।
ଦିନେ ପୁଣି ଝଡ଼ ରୂପେ
ଭାଙ୍ଗେ ମୋର ଗାଢ଼ ନିଦ
ଉଠି ଦେଖୁ ଦେଖୁ
ଛାପିଯାଏ ପର୍ବତ ଡେଣାରେ ।
ଉଡୁ ଉଡୁ ପକ୍ଷୀ ରୂପେ କେବେ
ପଡଇ ମୋ ଶବ୍ଦର ଜାଲରେ
ମୁଗ୍ଧ ହେଉ ହେଉ
ଜାଲ ସହ ଉଡି ଯାଇ ମିଶେ ଆକାଶରେ।
...ମାନମୟୀ ରଥ