ଲଣ୍ଠନ
ଲଣ୍ଠନ
ଜାଣେନା ଅନ୍ଧାରିତ୍ୱର ସୀମା,
ବୁଝେନି ବାଷ୍ପରୁଦ୍ଧର କଷ୍ଟ,
କାହାକୁ ପଚାରେନି ଜନ୍ମର ତାରିଖ,
ଖୁସି କିମ୍ବା ଦୁଃଖ କରେନି ସେ,
କାହାକୁ କଳା ଗୋରା ଚେହେରାକୁ ଦେଖି ।
ତଥାପି ସେ ଜଳେ,
ବିନା କଷ୍ଟରେ ବିନା ଅଭିଯୋଗରେ ,
ପଚାରିବ ପଚାରିବ ହୁଏ ,
ହେଲେ କାହାକୁ ବା ପଚାରିବ ,
ତାର ଜଳିବାର କାରଣ ସବୁ କଅଣ ?
କେବେ କେବେ ତାକୁ ବୋଧେ କଷ୍ଟ ହୁଏ,
କଳା ଧାସରେ ପୁରା କାଳିଆ ହୋଇଯାଏ,
ତଥାପି ସେ ସେକଥା କାହାକୁ ପାରେନା କହି ।
ହେଲେ ମନରେ ବାନ୍ଧିଛି ସାହସ,
ସବୁ ନହେଲେବି କରିବ ସେ କିଛି,
ତାର ସ୍ୱଳ୍ପ ଆଲୋକରେ ହରାଇବ ଅନ୍ଧକାରକୁ,
ସେ ହୋଇପାରେ ଅଶିକ୍ଷାର କିମ୍ବା କୁସଂସ୍କାରର,
ବାର୍ତ୍ତାଟିଏ ଦେବାକୁ ଇଚ୍ଛା କରେ,
କାହାର ଭରସାକୁ କେବେ ନ ଭାଙ୍ଗିବାକୁ ,
ସେ ହୋଇପାରେ ଦୁଃଖିଟିଏ ଅବା ପ୍ରତିପତ୍ତିଶାଳୀ ।
ନିଜ ମଧ୍ୟରେ ସେ ଜଳି ଚାଲେ ଅହରହ,
କଣ୍ଠରୋଧ ବାଷ୍ପରୁଦ୍ଧ ହୋଇ,
ସଳିତାର ସାହାରାରେ ଆଉ କିଛି କିରୋସିନକୁ ନେଇ,
ଲଭିନାହିଁ କେବେ ଅମରତ୍ୱ,
ମାଗିନାହିଁ କେବେ କାହାଠାରୁ ଚିର ନୂତନତ୍ଵର ଆଶିଷ,
ଜଳିଚାଲେ ଦୁନିଆର ଅନ୍ଧକାରକୁ ଦୁରେଇବା ଲାଗି ।।