ଲଣ୍ଠନ
ଲଣ୍ଠନ


ଲଣ୍ଠନ ଗୋ ତୁମେ ଆଲୋକର ଯନ୍ତ୍ର ତମସାକୁ ଦୂର କର
ପିଲାଠାରୁ ବୁଢା ସନ୍ଧ୍ୟା ସମୟରେ ତୁମରି ପାଶରେ ମେଳ।।
ତୁମ ଉଦଭାବନ୍ ଶୁଭ ମୂହୁର୍ତ୍ତରେ ହୋଇଥିଲା ଏହି ମହୀ
ସେଥିପାଇଁ ତୁମେ ସମାଜେ ଆଦୃତ ଅନ୍ଧାର ନାଶିବା ପାଇଁ।।
ଚଉପାଢ଼ୀ ପରେ ଶୋହୁଥିଲ ଦିନେ ପୁରାଣ ପଣ୍ଡାଙ୍କ ସହ
ତୁମରି ଆଲୋକ ପରଶରେ ଜନେ ଭାଗବତେ ଥିଲା ମୋହ।।
ସତ୍ୟର ପ୍ରତୀକ ହୋଇ ଯୁଗେଯୁଗେ ନିଜକୁ ନିଶେଷ କର
ନିଜେ ଜଳି ଜଳି ଅପରେ ଆଲୋକ ଦେଇଥାଅ ନିରନ୍ତର।।
ପିଲାବେଳେ ଯେବେ ତୁମରି ପାଖରେ ପଢ଼ୁଥିଲି ବସିପାଠ
କେତେ ନୂଆନୂଆ ଜ୍ଞାନର ପାପ୍ତିରେ କରିଛ ମୋତେ ସାହାର୍ଯ୍ୟ।।
ସନ୍ଧ୍ୟା ସମୟରେ ଗାଁ ମଣ୍ଡପରେ ନିଶାପ କରିବା ପାଇଁ
ଖୋଜାପଡ଼ିଥାଅ ଆଗ ହିଁ ତୁମେ ଆଲୋକର ଉତ୍ସ ହୋଇ।।
ରାତ୍ରିର ବେଳାରେ ଶବର ସାଥିରେ ଯାଇଥାଅ ଶମଶାନ
ବାତ୍ୟାବନ୍ୟା ବେଳେ ଦୁଃଖୀରଙ୍କିଗଣ ତୁମ ସାଥେ ବିଚରଣ।।
ବିଦ୍ୟୁତ ଆଲୋକ ଆସିଗଲା ଦିନୁ କମିଛି ତୁମ ଆଦର
ରହିଅଛ କିନ୍ତୁ ମନ ମଧ୍ୟେ ଆମ ପ୍ରିୟ ବନ୍ଧୁ ହେ ଆମର।।