ଲହରୀ ପ୍ରତି
ଲହରୀ ପ୍ରତି
ଲହରୀରେ ଲହରୀ, ତୁ ଶୁଣ ଢେଉ ଚିରି
ଏ ଜୀବନ ଉଠାଗଡ଼ାଣି ଢେଉ ତୋ' ପରି
କେବେ ସୁଖ କେବେ ଦୁଃଖ ଜୁଆର ପିଟୁଛି
ବିନା କାରଣେ କେବେ ଧୈର୍ଯ୍ୟ ତଟ ଭାଙ୍ଗୁଛି ।
ପଦ୍ମ ପତ୍ରେ ପାଣି ପରି ଜୀବନ ଅସ୍ଥାୟୀ
ହାଇ ମାରୁମାରୁ କେବେ ହରିନେବ ବିହି
ତୋ' ଢେଉଠାରୁ ଆୟୁଷ ଆହୁରି ଚଞ୍ଚଳ
ଅପରାହ୍ନ ନ ହେଉଣୁ ଆସିଯାଏ କାଳ ।
ଭ୍ରାନ୍ତେ କାହିଁ ଭାବେ ନର ଅଛମର ସେହି
ଅଳିକ ଆୟୁକୁ ସ୍ବପ୍ନ ଅନେଶୋତ ନେଇ
କେ ମରିଲା କାନ୍ଦିଝୁରେ ନିଜେ ଯିବ ଦିନେ
ଛଳନା, ଛନ୍ଦ କପଟଭରା ହିନିମାନେ ।
ସାମାନ୍ୟ ବେମାରୀକୁ ଏ ବସୁଧା ନିଅଣ୍ଟ
ତଥାପି କାହିଁକି ନର ଭାଙ୍ଗେନି ତା' ଆଣ୍ଟ
ଗର୍ବ, ଦମ୍ଭ ସାମ୍ରାଜ୍ୟ ଦିନେ କାଳ ଲୁଣ୍ଠିବ
ଅଦିନ ଝଡ଼ ବାଡେଇ ଭସ୍ମ କରିନେବ ।
ଛବିର ପ୍ରତିମା ପରି ସୁନ୍ଦର ତା' ତନୁ
ପଞ୍ଚଭୁତ ବାଣ୍ଟିନେବେ ଦୟା ତେଜି ମନୁ
ମାଟିର ମଣିଷ ଯଦି ମାଟିରେ ମିଶିବ
ରାଗ, ରୁଷା, ଅଭିମାନ ମତିରେ କି ଲାଭ ।
ସ୍ନେହ, ଶ୍ରଦ୍ଧା, ସମ୍ପର୍କେ ନାହିଁ ଆଦର ଯତ୍ନ
ସ୍ୱାର୍ଥ ସର୍ବସ୍ବେ ଅବଶ ଆଜି ନର ରତ୍ନ
ଛାତିରେ ତା' କାହିଁ ପାଳେ ଦର୍ପର ପରବ
ହିଂସାରେ କାହିଁକି ଜାଳେ ଅହଂର ଉତ୍ସବ ।
ଦେଖେ ମଶାଣିରେ ମିଶେ କେତେ ଅହଂ ସବୁ
ତଥାପି କାହିଁକି ତାହା କରେ ତାକୁ କାବୁ
ଚେତାଇଦେ ତାକୁ ଥରେ ଅମୃତର ବାଟ
ସ୍ରଷ୍ଠାଙ୍କ ଶ୍ରେଷ୍ଠ ସୃଷ୍ଟି ସେ ନହେଉ କନିଷ୍ଠ ।
ସତ୍ ଚିତ୍ ଆନନ୍ଦରେ ଜୀବନକୁ ବାହୀ
ଅମୃତତ୍ବର ଦିବ୍ୟ କମଳ ଯାଉହୋଇ
ପାରିବ ଯଦି ପରକୁ ଆନନ୍ଦ ପରଷି
ଇର୍ଷା ନୁହେଁ ଅନ୍ତରରୁ ମମତା ବରଷି।
ହେ ଶୁଭ୍ର ଲହରୀ ! ବୁଣି ଦେଏରେ ଆନନ୍ଦ
ତୋ ପରି ସ୍ୱଚ୍ଛ, ନିର୍ମଳ କରିଦେ ତା' ହୃଦ
ଅସ୍ଥାୟୀ ଜୀବନକୁ ତା' କର ବିଭୂମୟ
ମହତ୍ତର ହେଉ ନର ମହକିତମୟ ।
ଲହରୀରେ ଭସାଇ ନେଇଯା ଯେତେ ଦୁଃଖ
ଦେଇଯାରେ ତାକୁ ଖାଲି ଅକଳନ୍ତି ସୁଖ
ସ୍ବର୍ଗୀୟ ଗୁଣରେ ସ୍ରଷ୍ଠା ଭରନ୍ତୁ ତା' ହୃଦ
ପରମାର୍ଥ ଚିନ୍ତନରେ ହେଉ ବିମଣ୍ଡିତ ।
