ଲଗେଇ ଦେଲାରେ ଡୋରୀ
ଲଗେଇ ଦେଲାରେ ଡୋରୀ
କବିତା - ଲଗେଇ ଦେଲାରେ ଡୋରୀ
ରଚନା - ପଞ୍ଚାନନ ଜେନା
ତାରିଖ - ୧୨-୦୮-୨୦୨୫
++++++++++++++++
ବାରବର୍ଷ ପରେ ଯାଇଥିଲି ପୁରୀ
ମନ ମନ୍ଦିରେ ପଡିଗଲା ହୁରି
ଶ୍ରୀଜଗନ୍ନାଥମୟ ଗଣ୍ଠିଲି ଧରି
ଡେରିରେ ହେଉ ପଛେ
ମନ କହୁଥିଲା ହରି ଶ୍ରୀହରି ମୁକୁନ୍ଦ ମୁରାରୀ
କାଳିଆ ଲଗେଇ ଦେଲାରେ ଡୋରୀ
ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି
ସିଂହଦ୍ଵାର ଆଗେ ଦଣ୍ଡବତ କରି
ବାଇସି ପାହାଡ଼ ଚଢୁଥିଲି ଥିରି ଥିରି
ସୁମରଣା କରୁଥିଲି ଦୈତ୍ୟାରୀ ମୁରାରୀ ହରି
ବିଳମ୍ବ ହେଉ ପଛେ
ମନ ମତି ଗାଉଥିଲା
ହରି ଶ୍ରୀହରି ମୁକୁନ୍ଦ ମୁରାରୀ
କାଲିଆ ଲଗାଇ ଦେଲାରେ ଡୋରି
ଜୟ ଜଗନ୍ନାଥ କହି ହାତ ଉଠେଇଲି ମୁଁହି
ପତିତପାବନ ବାନାକୁ ଅନେଇ ଅନେଇ
ଭିତର ବେଢ଼ାରେ ପଶୁଥିଲି ଧାଇଁ
ଗରମ ଗୁଳୁଗୁଳି ଭକ୍ତଙ୍କ ଭିଡ଼ ଗହଳି
ସବୁ ସହଜ ଲାଗୁଥିଲା ମନ୍ତ୍ରୋଚ୍ଚାରିତ
ମୃଦଙ୍ଗ ଗିନି ସାଙ୍ଗକୁ ତୁରି ଭେରି ମହୁରୀ
କେଇ ବର୍ଷ ପରେ ହେଉ ପଛେ
ମନ ମତି ମୁକତି ରଟୁଥିଲା
ହରି ଶ୍ରୀହରି ମୁକୁନ୍ଦ ମୁରାରୀ
କାଳିଆ ଲଗାଇ ଦେଲାରେ ଡ଼ୋରୀ
ଗୁରୁଡ଼ ସ୍ତମ୍ଭକୁ ଛୁଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚାହିଁ
ଠେଲାପେଲାରେ ଚନ୍ଦନ ଅର୍ଗଳି ହେଲି ପାରି
ପଣ୍ଡା ପୂଜକ ପଢିୟାରୀ ତୁଳସୀ ଦୟଣା ଧରି
ବାଣ୍ଡୁଥିଲେ ଖଣ୍ଡୁଆ ପାଟଦେହୀ ଶରୀର ଧାରୀ
କିଛି ବର୍ଷ ବିତିଲା ପରେ ହେଉ ପଛେ
ମନ ମତି ଗତି ମୁକତି ଶକତି ଜପୁଥିଲା
ହରି ଶ୍ରୀହରି ମୁକୁନ୍ଦ ମୁରାରୀ
କାଳିଆ ଲଗେଇ ଦେଲାରେ ଡୋରୀ
