କୁସନ୍ତାନ
କୁସନ୍ତାନ
ପୂତ ନାମ ନରକୁ ଉଦ୍ଧରିବା ପାଇଁ ସନ୍ତାନ ଇଛନ୍ତି ଜନେ
ସେହି ପୁଅ ଯଦି କୁପୁତ୍ର ହୋଇଲା କୋଟି ନରକକୁ ଟାଣେ ।
ଆମ ଗାଁ ପଦନ ରାଉତ ସଜ୍ଜନ ଥିଲେ କିନ୍ତୁ ନିଃସନ୍ତାନ
ସନ୍ତାନ ପାଇଁକି ବେନି ପତିପତ୍ନୀ ସର୍ବଦା ଚିନ୍ତିତ ମନ ।
କେତେ ଓଷାତପ ସେବା ପୁଣ୍ୟ ବ୍ରତ ଦାନ ଧର୍ମ ଅନୁସରି
ବାର ବର୍ଷ ପରେ ପୁଅଟିଏ ପାଇ ମନସ୍କାମ ଗଲା ପୂରି ।
ନାମ ତା ଚଗଲା ଭାରି ସେ ଚଗଲା ସହଜେ ଗେଲବସର
ପାଠରେ ଦୁର୍ବଳ ଫୁଟାଣି ପ୍ରବଳ କଳହରେ ଧୂରନ୍ଧର ।
ଗେହ୍ଲା ପୁଅ ପାଇଁ ବାପ ମାଆ ବାଇ ଯାହା ଯାହା ଦରକାର
ପୁଅ ମନ ମତେ ଯୋଗାଇ ଦିଅନ୍ତି କରିଥାନ୍ତି ଗଳାହାର ।
ନିଜେ କଷ୍ଟ ସହି ଉପବାସେ ରହି ଧାର କରଜ କରି
ପୈତୃକ ସମ୍ପତ୍ତି ସବୁ ଦେଲେ ବିକି ଦୁଶ୍ଚିନ୍ତାରେ ହେଲେ ଘାରି ।
କଲେଜକୁ ଗଲା ଦୁଷ୍ଟାମି ବଢ଼ିଲା ମଦ ଜୁଆ ଝିଅ ନିଶା
କୁମାର୍ଗରେ ଅର୍ଥ ଉଡ଼ାଏ ପର୍ଯ୍ୟାପ୍ତ ପିତାଙ୍କର ଉଡ଼େ ହଂସା ।
ଗୁଣ୍ଡାମି ଦୁଷ୍ଟାମି ହେତୁ କଲେଜରୁ ହେଲା ଯେବେ ବହିଷ୍କାର
ପଦନ ପାର୍ବତୀ ହେଲେ ବଡ଼ ଦୁଃଖୀ ନେତୃ ବହେ ଅଶ୍ରୁଝର ।
ମାତା ପାଶେ ଅଳି କରେ ନିତି କଳି କୁସଙ୍ଗରେ ଥାଏ ରସି
ପିତାଙ୍କୁ ଜୁଲମ କରେ ଅର୍ଥ ଆଶେ ଅଶାଳୀନ ବାକ୍ୟ ଭାଷି ।
ପିତା ପଞ୍ଚଷଠି ମାତା ଷାଠିଏରେ ବାର୍ଦ୍ଧକ୍ୟରେ ଚିନ୍ତାଗ୍ରସ୍ଥ
ଭେଣ୍ଡା ପୁଅ ଘରେ କିଛି କରୁନାହିଁ ଅନ୍ଧାର ତା ଭବିଷ୍ୟତ ।
ଭଲ ବୁଝାଇଲେ ଭେଲ ହେଲା ସବୁ ବିପରୀତ ପ୍ରତିଫଳ
ଅଜାଗା ଘାଆକୁ ଦେଖି ଦେଖାଇବା ନୋହିଲା ସମ୍ଭବପର ।
ବସି ବସି ଖାଲି ଭଲ ଭଲ ଖାଇ ମଜଲିସ କରୁଥାଏ
ପିତାଙ୍କ କାନ୍ଧରେ ବୋଝ ହୋଇ ଟିଙ୍କ ପରି ରକ୍ତ ଝୁଣୁଥାଏ ।
ଜନକ ଜନନୀ ଭଲ ମନ୍ଦ ଦୁଃଖ ସୁଖ ନପାରଇ ଦେଖି
ଏଡିକି ନିଷ୍ଠୁର କୃତଘ୍ନ କୁପୁତ୍ର ଠାରୁ ନିଃସନ୍ତାନ ସୁଖୀ ।
ମୂଲ ଲାଗିବାକୁ ନାହିଁ ଆଉ ବଳ ଏବେ ଦଶ ଦିଶ ଶୂନ୍ୟ
ନଦେବାରୁ ଟଙ୍କା ମାରି ଧକା ବେକା ଜ୍ଞାନ ହରାଇଲା ଘୃଣ୍ୟ ।
ମାଡ଼ଦେଇ ଘରୁ ବହିଷ୍କାର କଲା କାନ୍ଦୁଥିଲେ ପିତା ମାତା
କୁଳାଙ୍ଗାର ଅପଦାର୍ଥ କୁସନ୍ତାନ ଲାଗି ଏ ସଂସାର ପିତା ।
ଜରାନିବାସକୁ ଚାଲିଗଲେ ଦୁହେଁ ସ୍ବପ୍ନ ହେଲା ଧୂଳିସାତ
ପୁତ୍ର ପ୍ରତିକ୍ରିୟା ନଥିଲା କିଞ୍ଚିତ ସାହା ଏକା ଜଗନ୍ନାଥ ।
