କୁନ୍ତୀସ୍ତୁତି
କୁନ୍ତୀସ୍ତୁତି
ଜୟ ଜୟ ଦେବ ଭକତ ବାନ୍ଧବ
ପରମ ଦୟାଳୁ ହରି l
ଆଶ୍ରିତ ମୁଁ କୁନ୍ତୀ କରେ ତୋତେ ସ୍ତୁତି
ପ୍ରଭୁ ମାଧବ ମୁରାରୀ ll
ପିତୃହୀନ ମୋର ପାଞ୍ଚଟି ସନ୍ତାନ
ତୋ ଚରଣେ ରଖି ମତି l
ସଖୀ କୁଳ ବଧୁ ପାଞ୍ଚାଳ ନନ୍ଦିନୀ
ସୁଖେ କାଳ ହରୁଛନ୍ତି ll
ଗାନ୍ଧାରୀ ନନ୍ଦନ ମାନୀ ଦୁର୍ଯ୍ୟୋଧନ
ଜତୁଗୃହ ମଧ୍ୟେ ଭରି l
ବଞ୍ଚାଇଲ ସର୍ବ ହେ କୃଷ୍ଣ କେଶବ
ପାଞ୍ଚିଥିଲା ଦେବ ମାରି ll
ପୁତ୍ର ବୃକୋଦର ଭୀମକୁ ମୋହର
ଆହାରରେ ଦେଇ ବିଷ l
ଗଙ୍ଗାରେ ଫିଙ୍ଗିଲା ମାନୀ ଅନ୍ଧବଳା
ରକ୍ଷାକଲୁ ଜଗଦୀଶ ll
ବଣ ଫଳ ମୂଳ ଖାଇ ହରି କାଳ
ବାସକଲୁ ଘୋର ବନେ l
ପଦେ ପଦେ ଥିଲ ହେ ଭକ୍ତ ବତ୍ସଳ
ପାଣ୍ଡବ ସଖା ଵିଧାନେ ll
କୁରୁସଭା ତଳେ ବିବସନ କାଳେ
କୋଟି ବସ୍ତ୍ର ପ୍ରଭୁ ଦେଇ l
ଲାଞ୍ଚନା ପାଞ୍ଚାଳୀ ଦୂର ବନମାଳୀ
ଅଦୃଶ୍ୟ ହାତ ବଢ଼ାଇ ll
ଦୁଃଖେ ରହିଥାଇ ଏହିଭାବେ ମୁହିଁ
ସ୍ୱଭାବେ ତୋର ପିଉସୀ l
କଷଟି ପାଷାଣ ମୋ ଦୁଃଖ କଷଣ
ନାରାୟଣ ବ୍ରହ୍ମରାଶି ll
ଏହିଭାବେ ସଦା ରଖିଥାଅ ପ୍ରଭୁ
ତୁହି ଭଵ କର୍ଣ୍ଣଧାର l
ଦୁଃଖେ ମୁଁ ଭାଜନ ନାହିଁ ପ୍ରୟୋଜନ
ସୁଖ ସମ୍ପଦ ମୋହର ll
ଦୁଃଖେ କାଟି ଦିନ କରିବି ଭଜନ
ଆହେ ଅଗତିର ଗତି l
ପାହାଡ଼ ପରାୟେ ଦୁଃଖ ଲଦିଥିବୁ
ଏତିକି ତୋତେ ମିନତି ll
ସହି ସହି ଦୁଃଖ କଳାକର ମୁଖ
ଡାକୁଥିବି ହରି ହରି l
ହୋଇବି ବିମୁଖ ଭଜି କଳାମୁଖ
ଦୁଃଖ ଯେବେ ଯିବ ସରି ll
ଜୟ ଦୀନବନ୍ଧୁ ଯଦୁକୂଳ ଇନ୍ଦୁ
ଜୟ ହେ ଜଗବନ୍ଦନ l
ଜଗତର ପତି ତୋ ପୟରେ ଶାନ୍ତି
ଜୟ ହେ ନନ୍ଦ ନନ୍ଦନ ll
