କୁନି ପରୀ
କୁନି ପରୀ
ଛୁଅଁନା ଛୁଅଁନା ଜମାରୁ ଛୁଅଁନା
ତାକୁ ଜମାରୁ ଛୁଅଁନା ତୁମେ।
କଢଟିଏ ସିଏ ସରାଗେ ବଢୁଛି
ଦିନେ ଫୁଟିବ ଏ ଧରା ଧାମେ।
ସରଳ ନୀରିହ ନିଷ୍ପାପ ଶିଶୁଟି
ସତେ ସିଏ ଏକ ଫୁଲ କଢି ।
ଫୁଟିବା ଆଗରୁ ଛିଣ୍ଡାଅ ନି ତୁମେ
ତାକୁ ମୂଳରୁ ଦିଅନା ତାଡି ।
ଚେଷ୍ଟା କରନାହିଁ ଅଟକାଇବାକୁ
ଅଟକାଅନା ଜମା ତାହାକୁ ।
ନଈଟିଏ ସିଏ ବହି ବହି ଯିବ
ଜଳ ଦେଇଯିବ ତୃଷାର୍ତ୍ତକୁ ।
ଦେଖ ତାକୁ ଦେଖ ଓହ୍ଲାଇ ଆସିଛି
ସେହି ସରଗ ରାଇଜ ଠାରୁ ।
ପରୀଟିଏ ସେ ସୁନା ଝରିଟିଏ ସେ
ଝରେ ମୁକୁତା ତା'ର ହସରୁ।
ଜାଣେନି ଛଳନା ଜାଣି ନାହିଁ ମାୟା
କପଟିଆ ଭାବ ସେ ଜାଣେନା ।
ସହାସ୍ୟ ବଦନ ଦିଶେ ଶୋଭାବନ
ତା'ପାଇଁ ଯେ ସୁନ୍ଦର ଅଗଣା।
ସୁରୁ ସୁରୁ ପାଦ ଟିକି ଟିକି ହାତ
ଟିକି ଟିକି ଯେ ତା'ର ହୃଦୟ।
ଭାଙ୍ଗିଦିଅ ନାହିଁ ମନକୁ ତାହାର
ଦିଅ ତାକୁ କୋଳରେ ଆଶ୍ରୟ।
