ବର୍ଷା
ବର୍ଷା
ଡହ ଡହ ଖରାରେ ସିଝି ସିଝି
ଦରମରା ହେଲା ପରେ
ତୁମର ଆଗମନ
ନିଶ୍ଚିତ ଭାବରେ ମନକୁ କରେ
ପୁଲକିତ
ଦେହରେ ସୃଷ୍ଟି ହୁଏ ନାହିଁ ନ ଥିବାର
ଶିହରଣ ।
ମାସ ମାସ ଫ୍ୟାନ୍ କୁଲର୍ ର
ଶୀତଳ ପବନ ଖାଇ ଦେହକୁ ବିବଶ
କଲା ପରେ ତୁମର ଆଗମନ
ନିଶ୍ଚିତ ଭାବରେ ମନକୁ କରେ ଆନ୍ଦୋଳିତ
ଆଃ ! କି ଆନନ୍ଦ !
ବର୍ଷାର ଛିଟା
ମନକୁ କରିପକାଏ ଭାବ ବିହ୍ବଳ
ପହିଳି ବର୍ଷାରେ ମାଟିର ଭୁରୁଭୁରୁ ବାସ୍ନା
ହୃଦୟକୁ କରେ ଆହ୍ଲାଦିତ।
ଶୀତଳ ପବନରେ ଦେହ ଶୀତେଇ ଯାଏ
ମନ କୁରୁଳି ଉଠେ
ବର୍ଷାର ରିମ୍ ଝିମ୍ ସୁରରେ
ଗାଁଦାଣ୍ଡରେ ନାଚିବାକୁ ଇଚ୍ଛା ହୁଏ
ଛତାଧରି ପ୍ରେମିକା ସହ ତିନ୍ତି ତିନ୍ତି
କେଉଁ ଏକ
ନଦୀରେ କୁଳ ଲଙ୍ଘୁଥିବା ବନ୍ୟା କୁ ମନ ଭରି
ଉପଭୋଗ କରିବାର ଇଚ୍ଛା ହୁଏ ।
ହେଲେ ,,,ତା'ପାଇଁ ଏସବୁ ବୋଧେ ତୁଚ୍ଛ !
ଖରା ହେଉ ଅବା ବର୍ଷା
ଫରକ ପଡେ ନି ତାକୁ
ସେ ତ ଝାଟିମାଟି ଘରେ ଜୀବନ ଜୀଇଁବା ର
ଲୋକଟିଏ
ସେ ତ ଖରାରେ ବି ବିନା ଫ୍ୟାନ କୁଲର୍ ରେ
ରହି ରହି ଦୁଃଖ ଯନ୍ତ୍ରଣା କୁ ଏକାକାର
କରି ପୁଣି ଥରେ ଦୁଃଖ ସାଉଁଟିବାକୁ
ପ୍ରସ୍ତୁତ ହେଉଥିବା ଏକା ନିଆରା ମଣିଷଟିଏ ।
କେ ଜାଣେ ଏଇ ବର୍ଷା ହୁଏତ
ଖରାର କାଳବୈଶାଖୀରେ ଅକସ୍ମାତ
ରକ୍ଷା ପାଇଯାଇଥିବା
ଝାଟିମାଟି ର କୁଡିଆକୁ
ନେଇ ଯିବ ଆଖିପିଛୁଳାକେ
ବନ୍ୟା ରୂପରେ
ମାଟି କାନ୍ଥରୁ ଅତଡା ଖସାଇ
ଖରାର ପ୍ରହାର ଖାଇ
ଦରମରା ମଣିଷର
ଜୀବନ ନେଇଯିବ
ଭଙ୍ଗା କୁଟୀର ଭିତରେ
ଅଣ୍ଟା ଯାଏଁ ପାଣି ପଶାଇ
ବଞ୍ଚାଇ ରଖିଥିବା ସୁଖସବୁକୁ
ଚିର ଦିନ ପାଇଁ
ହଜେଇ ଦେବ।
ବାସ୍ ଦିନଗଣିବାଟା ଖାଲି ତା'ପାଇଁ ସାର ହୁଏ
ଏଭଳି ଜୀବନର ଦୁଃଖ ଭିତରେ ସୁଖ ଖୋଜିବା ଅପେକ୍ଷା
ଅଧିକ ଶ୍ରେୟସ୍କର ଜୀବନ
ଜୀଇଁବା ର
କଳା ଶିଖିବା
ବର୍ଷା ଭିତରେ ନିଜର ପ୍ରେମିକା ପାଖରେ
ନିଜକୁ ଆବିଷ୍କାର କରିବା ଅପେକ୍ଷା
କାଗଜ ଡଙ୍ଗା ଭଳି ପାଣିରେ ଭାସି ଭାସି
ମାଟିରେ ମିଶିଯିବା ବୋଧହୁଏ
ତା ଜୀବନର ଭାଗ୍ୟ ରେଖା ରେ
ଲେଖା ହୋଇଥାଏ ।
ଏ ବର୍ଷା କାହା ପାଇଁ ପ୍ରେମିକା
ତ କାହା ପାଇଁ
କାଳ କରାଳ ରୂପୀ
ଏକ ଭୟାନକ ବିଭୀଷିକା
ଏକ ଭୟାନକ ବିଭୀଷିକା ।