କୁନି-କୁନି କଥା
କୁନି-କୁନି କଥା
ମଞ୍ଜୁ ଦାସ
କୁନି ଥଣ୍ଟେ ଆଣେ ଚଢେଇ କାଠି-କୁଟା ଗୋଟାଇ
ଗଢିଦିଏ କୁନି ବସାଟି ସିଏ ମନ ଲଗାଇ l
ଥକିପଡ଼େ ନାହିଁ ହେଲେ ବି ଛୋଟ ଡ଼େଣା ତାହାର
ଅଣ୍ଡା ଦେଇ ଛୁଆ ଫୁଟାଇ ଗଢିଥାଏ ସଂସାର l
କୁନିକୁନି ଉଇ କରନ୍ତି କେଡ଼େ ବିରାଟ ହୁଙ୍କା
କେମିତି ଗଢନ୍ତି ଭାବିଲେ, ସତେ ଲାଗଇ ଶଙ୍କା l
ଏତେ କ୍ଷୁଦ୍ର ପ୍ରାଣୀ ହୋଇ ବି କରେ ବିରାଟ କାମ
ଧନ୍ୟ ସେଇ ଟିକି ପ୍ରାଣିଟି ପରିଚିତ ତା’ ନାମ l
ଟିକି ମହୁମାଛି ଉଡ଼ଇ ଫୁଲ ମହକ ଜାଣି
ଶହଶହ ଫୁଲ ଭିତରୁ ରସ ଆଣଇ ଟାଣି l
ତାକୁ ଆଣି ମହୁ ଫେଣାରେ ଯତନରେ ସାଇତେ
ବହୁ ଦିନ ପରେ ସେ ରସ ମିଠା ମହୁ ପାଲଟେ
l
ଜଗତ ଜାଣିଛି ବାଜିଆ ଆଉ ଧରମା କଥା
ଅଳପ ବୟସେ ପରାଣ ତେଜି ରଚିଲେ ଗାଥା l
ଜୀବନ ପାଇଁକି ଟିକିଏ ତାଙ୍କ ନ ଥିଲା ମୋହ
ତେଜିଲେ ପରାଣ ଯେପରି ଭାବି ଉଠଇ କୋହ l
ଟିକିଟିକି ଜଳ ବିନ୍ଦୁରେ ଗଢା ହୁଆଇ ସିନ୍ଧୁ
ଟିକି ବୋଲି ହେୟ କାହାକୁ କେବେ ନ ଭାବ ବନ୍ଧୁ l
ଛୋଟିଆ ଶରୀରେ ରହିଛି କେତେ ବିରାଟ ଶକ୍ତି
ନିଷ୍ଠା, ପରିଶ୍ରମ, ସାଧନା ଥିଲେ ହେବ ସେ ପ୍ରାପ୍ତି l
ଆମ ‘ କୁନିକଥା ‘ କହଇ କେତେ ହିତ କାହାଣୀ
ଗୀତ, ଗପ ଆଉ ପୁରାଣ, ପୁଣି ମହତ ବାଣୀ l
ବୁଦ୍ଧି, ଜ୍ଞାନ କେତେ ରହିଛି ତାହା ଜାଣିବା ପାଇଁ
ଯେତେ ପ୍ରଶ୍ନ ଅଛି ଆସରେ, ଦେବା ଉତ୍ତର ତହିଁ l