କୁନି କଳିକା
କୁନି କଳିକା
ଧରା ଉପବନେ ଫୁଟି ଆସୁଅଛୁ
ଆମେ ଯେତେଯେତେ କୁନି କଳିକା
ପାଖୁଡ଼ା ମେଲାଇ ନାଚୁଥିବୁ ହସି
ରଙ୍ଗ ପରା ଆମ ଭଳିଭଳିକା ।
ରଙ୍ଗ ବିଞ୍ଚିଦେଇ ବାସ ଚହଟାଇ
ଯେବେ କରୁଥିବୁ ଆତ୍ମପ୍ରକାଶ
ସୁରଭିତ ଆମ ରୂପଲାବଣ୍ୟରେ
ସକଳେ ହୋଇବେ କେତେ ହରଷ !
ସୌନ୍ଦର୍ଯ୍ୟ ଆମର ହେଉଥିବ ବୃଦ୍ଧି
ନୀତି, ଆଦରଶ, ସଂସ୍କାର ଜଳେ
ଜ୍ଞାନବିଜ୍ଞାନରେ ହେବୁ ଆଗୁସାର
ପିତାମାତା, ଗୁରୁ ଆଶିଷ ବଳେ ।
ହାତେ ହାତ ଥାପି ବଢ଼ିବୁ ଆମେରେ
ସତକର୍ମେ ପଛଘୁଞ୍ଚା ନଦେଇ
ବାଆବତାସକୁ ନଥିବ ଖାତର
ଏକତାର ମନ୍ତ୍ର ତୁଣ୍ଡରେ ଗାଇ ।
ମାଆ ମାଟି କୋଳେ କିଏସେ କୃଷକ
କିଏ ସାଜି ଯିବ ବୀର ସୈନିକ
କିଏ ଚିକିତ୍ସକ କିଏ ବୈଜ୍ଞାନିକ
ଜୀବନ ଗଠନେ କିଏ ଶିକ୍ଷକ ।
ସକଳେ ଦେଶର ଉନ୍ନତି ପଥରେ
ମିଳିମିଶି କାମ କରି ଚାଲିବୁ
ପ୍ରତିଟି ଆହ୍ବାନେ ଉତ୍ସର୍ଗୀତ ପ୍ରାଣେ
ସଫଳତା ଶିଢି଼ ନିତି ଚଢ଼ିବୁ ।
ଶାନ୍ତି, ସଦ୍ଭାବନା, ମଇତ୍ରୀ, ପ୍ରୀତିରେ
ରହିଥିବ ସଦା ଆମର ଧ୍ୟାନ
ଦେଶମାତୃକାର ଗରିମା ବଢ଼ାଇ
ଆମେ ମଣୁଥିବୁ ନିଜକୁ ଧନ୍ୟ ।
ବଡ଼ ଆଉ ସାନ ଧନୀ କି ଗରିବ
ବାଛବିଚାରର ଭାବ ନରଖି
ସକଳେ ଗୋଟିଏ ମାଆର ସନ୍ତାନ
ଭ୍ରାତୃତ୍ବପ୍ରେମକୁ ଥିବୁରେ ମାଖି ।
ହେବୁ ନାହିଁ ଅନ୍ଧ ଅନୁଧାବନରେ
କେବଳ ନିଜର ସ୍ବାର୍ଥ ସିଦ୍ଧିରେ
ଆପଣାପଣରେ ଦୁନିଆକୁ ଛନ୍ଦି
ଲାଗି ରହିଥିବୁ ଜନ ହିତରେ ।
ସୁଖସ୍ବାଚ୍ଛନ୍ଦ୍ୟରେ ଭରିଯିବ ଦେଶ
ନଥିବ ଅଭାବ କଷଣ କା'ର
ଗାଇ ସୁଖଗୀତି ସଭିଏଁ ନିଇତି
କରି ଚାଲିଥିବୁ ସ୍ବପ୍ନ ସାକାର ।