କୁମୁଦର ଲୋଭ
କୁମୁଦର ଲୋଭ
କୁମୁଦ କାନ୍ଦଇ କଇଁ କଇଁ,
ରେ କହ୍ନାଇଁ ରେ କହ୍ନାଇଁ ରେ କହ୍ନାଇଁ !
ପଦ୍ମ ସମ ଏ ଜୀବନ ନହେଲା କିମ୍ପାଇଁ ?
ହେ ନୀଳମାଧବ ହେ କଳାଗୋସାଇଁ !
କୁମୁଦବତୀ ରୋଦନେ ଉଛୁଳେ ଯମୁନା,
ରେ କଳାକାହ୍ନୁ ତୋ ବଇଁସୀ ଆଉ ବଜାନା ।
କହ୍ଳାର କାନ୍ଦିବ ତୋ ବଇଁସୀ ସାତସୁରେ,
ଫିକା ପଡିଯିବ କିବା ରଙ୍ଗ ସାତରଙ୍ଗେ !
କୁମୁଦ କାନ୍ଦଇ କଇଁ କଇଁ,
ରେ କହ୍ନାଇଁ ରେ କହ୍ନାଇଁ ରେ କହ୍ନାଇଁ !
ଚନ୍ଦ୍ରକାନ୍ତା ଚନ୍ଦ୍ରବଦନୀ ଶଶିପ୍ରିୟା ମନୋହରିଣୀ,
କୃଷ୍ଣ ପାଦପଦ୍ମେ କିବା ହେବ ପଦ୍ମିନୀ
ସେତ ହୀନ କୁମୁଦିନୀ !
କୁବଳୟ ହୃଦୟେ ଫୁଟେ ଅସୀମ ଆବେଗେ ପିଡା,
ଅମୃତ କଳସ ସମ ଉଦ୍ଭାସିତ ନ ହୁଏ ଲୋଡା।
କୁମୁଦ କାନ୍ଦଇ କଇଁ କଇଁ,
ରେ କହ୍ନାଇଁ ରେ କହ୍ନାଇଁ ରେ କହ୍ନାଇଁ !
ରାଧା ପାଇଁ ଫୁଟେ ପଦ୍ମ ରାଧା ପାଇଁ କଦମ୍ବ,
ସୌଗନ୍ଧକ ସାଜିବ ସଙ୍ଗୀ ଅଧା ପ୍ରତିବିମ୍ବ ।
ନେଳି ରଙ୍ଗେ ରଙ୍ଗେଇବ ଗୋ ଶ୍ରୀରାଧା ପୟର,
ଧନ୍ଯ ଧନ୍ଯ ବୋଲାଇବ ବୃନ୍ଦାବନେ କହ୍ଳାର ।
କୁମୁଦ କାନ୍ଦଇ କଇଁ କଇଁ,
ରେ କହ୍ନାଇଁ ରେ କହ୍ନାଇଁ ରେ କହ୍ନାଇଁ !
ଆଶା ଅଛି ବୋଲି ସିନା ପିପାସୁ ହୃଦୟେ କୈରବ,
ଫୁଟିଛି ଗୋପନେ କିରଣେ ଦେବ ଚନ୍ଦ୍ରମା ବିଭବ ।
କହ୍ନାଇ ସପନେ ଦେଖି ତୁମ ମନଲୋଭା ସୌରଭ,
ଆଗୋ ଶଶିପ୍ରଭା, ବାଜେ ବେଣୁ ସାତସୁରେ ଉଦ୍ଭାସେ ନଭ !
କୁମୁଦ କାନ୍ଦଇ କଇଁ କଇଁ,
ରେ କହ୍ନାଇଁ ରେ କହ୍ନାଇଁ ରେ କହ୍ନାଇଁ !
କୁବଳୟ ସୋମପ୍ରିୟା, ଚନ୍ଦମୁଖୀ ଚନ୍ଦ୍ରକାନ୍ତା !
କୁମୁଦବତୀ କୁମୁଦିନୀ, ଶଶିପ୍ରିୟା ଶଶିକାନ୍ତା !!
ଏମନ୍ତ ଭାବ ରାଧାର ହେବ,
ଭାସିବ ଜଳେ ପ୍ରେମର ନାବ ।
ସପ୍ତରଙ୍ଗେ ଇନ୍ଦ୍ରଧନୁ ରଙ୍ଗ,
ସପ୍ତସୁରେ ସଙ୍ଗୀତର ଗାନ,
ଶୋଭାବନେ ପ୍ରସ୍ଫୁଟିତ ତନ,
ଲଭ୍ୟହେଉ ଦୁର୍ଲଭ ଜୀବନ ।
ସତ୍ୟଯୁଗ,ତ୍ରେତୟାଯୁଗ,ଦ୍ବାପରଯୁଗ
ଏ କଳିଯୁଗେ ନେବି ତୁମ ନାମ-
ହେ କୃଷ୍ଣ ହେ କୃଷ୍ଣ ହେ କୃଷ୍ଣ !
ହେ ରାମ ହେ ରାମ ହେ ରାମ !!
ହରେକୃଷ୍ଣ ହରେକୃଷ୍ଣ ହରେକୃଷ୍ଣ !
ହରେରାମ ହରେରାମ ହରେରାମ !!