କୁମ୍ଭାର
କୁମ୍ଭାର
ମାଟି ଯାଦୁଗର ମାଟିର ମଣିଷ
ମାଟିରେ କରଇ ଘର
ମୂର୍ତ୍ତିର ଦେହରେ ଜୀବନ ଦିଅଇ
ମାଟିର ସେ ରୂପକାର ।
ଚିତ୍ର ସେ ବିଚିତ୍ର କରେ କେତେ ତାକୁ
ଆଖି ଝଲସାଇ ନିଏ
ଜୀବନ୍ତ ପ୍ରତିମା ସୃଷ୍ଟି କରେ ଯିଏ
କୁମ୍ଭାର ଭାଇଟି ସିଏ ।
କୁମ୍ଭାର ଭାଇଟି କଞ୍ଚା ମାଟି ଆଣି
ହାତରେ ଚକଟି ଥାଏ
କୁମ୍ଭାର ଚକରେ ଚିକିଟା ମାଟିରୁ
ଜିନିଷ ତିଆରି ହୁଏ ।
ବହୁତ କାଳରୁ ତାଙ୍କ ପରମ୍ପରା
ଏହା ଅଛି ତାଙ୍କ ବୃତ୍ତି
ଅତି ଯତନରେ ମାଟି ପାତ୍ର ସବୁ
ତିଆରି କରନ୍ତି ନିତି ।
ଗାଆଁ ଗାଆଁ ବୁଲି କାନ୍ଧେ ଭାର କରି
ହାଣ୍ଡି ମାଠିଆ ବିକନ୍ତି
ତାକୁ ବିକ୍ରି କରି ସେଇ ପଇସାରେ
ପରିବାର ସେ ଚଳାନ୍ତି ।
କଳସ, ସୁରେଇ, ବଢା ,ଠେକି, ମୂର୍ତ୍ତି
ପଲମ, ହାଣ୍ଡି, ମାଠିଆ
ମାଟି ଯାଦୁଗର ମାଟିର ମଣିଷ
ଗଢନ୍ତି ତାକୁ ବଢିଆ ।
ମାଟି ପଲମରେ ପିଠା କରି ଦେଲେ
ତା ସ୍ବିଦ ଅଲଗା ଥାଏ
ମାଟି ହାଣ୍ଡି ଭାତ କି ସୁନ୍ଦର ବାସ୍ନା
ପେଟ ଆପେ ପୂରି ଯାଏ ।
ଛୋଟ ଶିଶୁଟିକୁ ମାଆଟି ତାହାର
ବଢାରେ ରୋଷେଇ କରି
କ୍ଷୀର ସହିତରେ ରାନ୍ଧି ଖୋଇ ଦିଏ
ଚାମୁଚେ ତାହାକୁ ଘୂରି ।
ଜଗନ୍ନାଥଙ୍କର ଷାଠିଏ ପଉଟି
ପ୍ରସାଦ ପ୍ରସ୍ତୁତ ପାଇଁ
ଅତି ଯତନରେ ଭକତି ଆଗ୍ରହେ
ଯୋଗାଏ କୁମ୍ଭାର ଭାଇ ।
କେତେ ଯତନରେ କଞ୍ଚା ପତପତ
ହାତରେ ତିଆରି କରେ
ଭାଟିରେ ତାହାକୁ ସୁନ୍ଦର ସଜେଇ
ପୋଡି ଦ୍ୟନ୍ତି ସେ ନିଆଁରେ ।
ସମସ୍ତଙ୍କ ଆବଶ୍ୟକ ମୁତାବକ
ସାମଗ୍ରୀ ଯୋଗାଇ ଦ୍ୟନ୍ତି
ମାଟିପାତ୍ରେ ପାଣି ବ୍ୟବହାରେ କଲେ
ରୋଗରୁ ମୁକ୍ତି ଲଭନ୍ତି ।
ବିବାହ ସମୟ ଶୁଭ ଲଙ୍ଗନରେ
ମଙ୍ଗନ ସାଜ ଦିଅନ୍ତି
ପଞ୍ଚ ଦୀପ ସାଥେ ମଙ୍ଗନ ହାଣ୍ଡିଟି
ଆଣି ସିଏ ଦେଇଥାନ୍ତି ।
ମୃତ୍ୟୁ ହେଲା ପରେ ପକାଯାଏ ହାଣ୍ଡି
ମାଠିଆ ସାଥେ ନିଅନ୍ତି
ଶବ ସତ୍କାରରେ ଲାଗି ଥାଏ ସିଏ
ଦଶ ହାଣ୍ଡି ଲୋଡି ଥାନ୍ତି ।
କହିବାକୁ ଗଲେ ଜନ୍ମ ବେଳେ ଲୋଡା
ମୃତ୍ୟୁ ବେଳେ ଲୋଡା ସିଏ
ବିନା ଠେକି, ହାଣ୍ଡି ମାଠିଆ, ଦୀପରେ
ଶୁଦ୍ଧିକ୍ରିୟା ନା ବା ହୁଏ ।
କାନ୍ଧେ ଭାର ବୋହି କୁମ୍ଭାର ଭାଇ ଯେ
ଆସି ଥାନ୍ତି ଦଳ ଦଳ
ସେଇ ଦୃଶ୍ୟ ଏବେ ଲୋପ ତ ହେଲାଣି
ଦେଖିବା ହୁଏ ବିରଳ ।
କୁମ୍ଭାର ଭାଇ ବିନା ଜୀବନ ଆମର
କେବେବି ଉନ୍ନତି ନାହିଁ
ଜଗତରେ ସିଏ ଆମ ପାଇଁ ବଡ
ତା ପାଇଁ ହସଇ ମହୀ ।
