କୁଳବଧୂ
କୁଳବଧୂ
ବିଶ୍ୱରେ ମହାନ ସଂସ୍କୃତି ଯାହାର
ସିଏ ତ ଭାରତ ବର୍ଷ,
ଧରିଛି ତା କୋଳେ କେତେ ପଲ୍ଲୀପୁର
ନାନା ରଙ୍ଗ ନାନା ବେଶ ।
ନାରୀକୁ ଦିଏ ସେ ଅସୀମ ସମ୍ମାନ
ମନେ ଭରି ମାତୃଭାବ,
କଲ୍ୟାଣମୟୀ ସେ ଦେଶ ଜାତି ପାଇଁ
ଏହା ଶ୍ରେଷ୍ଠ ଅନୁଭବ ।
ପରିବାରେ ନାରୀ ପାଇଥାଏ ଶ୍ରଦ୍ଧା
ସତେ ଅବା ଗୃହ ଲକ୍ଷ୍ମୀ,
କୁଳବଧୂ ହୋଇ ସ୍ନେହ ପ୍ରେମ ଭରି
ହୁଏ ସ୍ୱାମୀ ଅନୁଗାମୀ ।
ନୂଆ ହୋଇ ଯେବେ ଆସେ ଝିଅ ଟିଏ
କାହା ଘରେ ବୋହୂ ହୋଇ,
ପରକୁ ଆପଣା କରିଥାଏ ସିଏ
ସମର୍ପଣ ଭାବ ନେଇ ।
ଗୃହ ଲଷ୍ମୀ ସମ ଉଦାର ହାତ ତା
ଥାଏ ପରିବାର ସୁଖେ,
ସଭିଙ୍କର ମନ ନେଇ ଚଳିଲେ ବି
ରହେ ନାହିଁ ମନ ଦୁଃଖେ ।
କୁଳବଧୂ ପରା ସହିଷ୍ଣୁରେ ଭରା
ପରିବାର ଶ୍ରୀ ବଢାଏ,
ଆଖିରେ ତାହାର ମମତାର ଅଶ୍ରୁ
ସଭିଙ୍କୁ ଭିଜାଇ ଥାଏ ।
ପରମ୍ପରା ଏହା ପୁରାଣ ଯୁଗର
ଏବେ ବି ସେ ଆଲୋକିତ,
କୁଳବଧୂଟିଏ ଘରର ଲକ୍ଷ୍ମୀ ଯେ
ସଦା କରେ ସୁବାସିତ ।