କୁହୁକ ପ୍ରଦୀପ
କୁହୁକ ପ୍ରଦୀପ


ଦିନେ ମୁଁ ସପନେ ଯାଇଥିଲି ବୁଲି
ଏକ ଅଜଣା ରାଇଜେ
ସବୁ କିିଛି ମୋତେ ଅଜବ ଲାଗିଲା
ସେହି ସପନ ରାଇଜେ ।
ରାସ୍ତା ଦୁଇଧାରେ ନଭଶ୍ଚୂମ୍ଭୀ ବୃକ୍ଷ
ଅଗନା ଅଗନି ବନ
ସୂରୁଯ ବୁଡିଲା ଗିରି ବନଦେଶେ
ଶୋଭାମୟ ସାୟନ୍ତନ ।
ଦେଖିଲେ ଗୋଟିଏ ଛୋଟିଆ କୁଡିଆ
ଶୁଭୁଛି କ୍ରନ୍ଦନ ସ୍ବର
କୁଡିଆରେ ପଶି ଦେଖିଲି ଯାଇମୁଁ
ବୃଦ୍ଧା କାନ୍ଦରେ ଅଧିର ।
ମାଗିଲା ସେ ମୋତେ ପାଣି ବୁନ୍ଦେ ଆଣି
ଦେବୁ କିରେ ପୁଅ ମୋତେ
ପାଣି ଆଣି ତାକୁ ପିଆଇ ଦେଲି ମୁଁ
କଲ୍ୟାଣ କରିଲେ ମୋତେ ।
ପାଶେ ବସି ମୁହିଁ ଗୋଡ ଘସି ଦେଲି
ଖାଦ୍ୟ ତାକୁ ଖୁଆଇଲି
ପ୍ରଦୀପ ଆଲୋକ ମିଞ୍ଜି ମିଞ୍ଜି ଜଳେ
ବୃଦ୍ଧା ସେବାରେ କାଟିଲି ।
ରାତି ପାହିଗଲା ପ୍ରଭାତ ହୋଇଲା
ବୃଦ୍ଧାଙ୍କ ନିଦ ଭାଙ୍ଗିଲା
ପ୍ରଦୀପ ଲିଭାଇ ତେଲ ଢାଳିଦେଇ
&nbs
p;ପ୍ରଦୀପ ନେବାକୁ କହିଲା ।
ଏହି ପ୍ରଦୀପକୁ ମୁଣ୍ଡରେ ଲଗାଇ
ଯାହା ତୁହି ମନାସିବୁ
ତାହା ଅବିଳମ୍ବେ ପୂରଣ ହୋଇବ
ସାଇତି ରଖିବୁ ବାବୁ ।
ଏହା କହି ବୃଦ୍ଧା ଅନ୍ତର୍ଦ୍ଧାନ ହେଲେ
ମୋତେ ଆଶିର୍ବାଦ ଦେଇ
ଏହାପରେ ମୁହିଁ ପ୍ରଦୀପକୁ ନେଲି
ପରୀକ୍ଷା କରିବା ପାଇଁ ।
ପ୍ରଦୀପକୁ ନେଇ ମୁଣ୍ଡରେ ମାରିଲି
ରମ୍ୟ ପ୍ରାସାଦ ମନାସି
ସୁନ୍ଦର ମହଲ ଆଖିର ଆଗରେ
ଆଖି ମୋ ଗଲା ଝଲସି ।
ଏହାପରେ ସେହି ପ୍ରଦୀପକୁ ନେଇ
ଇଛାକଲି ଉଡିବାକୁ
ଯାନଟିଏ ଆସି ପହଞ୍ଚିଲା ପାଶେ
ବସାଇଲା ଉଡିବାକୁ ।
ଉଡିଗଲି ମୁହିଁ ଜହ୍ନ ମାମୁଁ ଦେଶେ
ଝିଲି ମିଲି ତାରା ଦେଖି
ଆଖି ମୋ ଝଲସି ଉଠିବା ବେଳକୁ
ମୋ ଘରଣୀ ଦେଲା ଡାକି ।
ସପନ ମୋହର ଭାଙ୍ଗିଗଲା ବୋଲି
ମନେ ମୋର ବହୁ ଦୁଃଖ
କୁହୁକ ପ୍ରଦୀପ ଦେଇଗଲା ମୋତେ
ସପନେ ଅଳିକ ସୁଖ ।