କଥା ସରିତା
କଥା ସରିତା
ଏ ଜୀବନ ଏକ କଥା ସରିତାଟେ
କାହାଣୀ ତ କେବେ କବିତା
କେବେ ଲୋଡ଼େ ପୁଣି ଟୋପାଏ ସିନ୍ଦୁର
କେବେ ଲୋଡ଼େ ନାଲି ଅଳତା l
ଜୀବନ ତ ଏକ ସ୍ୱରୂପ ଅନେକ
କିଏ ନାରୀ କିଏ ପୁରୁଷ
ବୃକ୍ଷ-ତରୁ-ଲତା,କୀଟ-ପତଙ୍ଗଠୁ
ଜୀବଜନ୍ତୁ ଅବା ମଣିଷ l
ସବୁରି ଭିତରେ ପ୍ରାଣ ସ୍ପନ୍ଦନରେ
ମାଟି ଘଟେ ଥାଏ ରହି
ମାଟିର ଶରୀର ମାଟିରେ ମିଶିବ
ଏଇ କଥା କହି କହି l
ଭିନ୍ନ ଭିନ୍ନ ରୂପେ ଏ ଜୀବନ ପୁଣି
ନିଜକୁ କରଇ ବ୍ୟକ୍ତ
ଆଶା ଅବଶୋଷ ମାୟା ବନ୍ଧନରୁ
ପାରେ ନାହିଁ ହୋଇ ମୁକ୍ତ l
ସ୍ମୃତି ଫରୁଆରେ ଏ ଜୀବନ କେବେ
ରଖେ ତା' ଅନ୍ତର କଥା
ସପନ ଦ୍ୱୀପରେ ମାଣିକ ସାଉଁଟେ
ଶାମୁକା ଭିତରୁ ମୁକୁତା l
କାଲିର ଅତୀତ ଆଜି ପାଇଁ ସ୍ମୃତି
ଆଗାମୀର ସ୍ମୃତିରେଖା
ସେଇ ସ୍ମୃତି ହେବ ବଞ୍ଚିବାର ରାହା
ଆଗାମୀର ବନ୍ଧୁ, ସଖା l
କଥା କାହାଣୀର ସମୟ ପଥରେ
ଏ ଜୀବନ ଚାଲେ ନିତି
କର୍ମ ଜଞ୍ଜାଳରେ ଦିନ ସରିଯାଏ
ସକାଳଠୁ ପୁଣି ରାତି l
ପ୍ରବେଶ-ପ୍ରସ୍ଥାନ, ଉଦୟ-ଅସ୍ତରେ
ଜୀବନଟା ହୁଏ ଶେଷ
କଥା ଅନେକକୁ ବେଳ ତ ନିଅଣ୍ଟ
ସାର ଖାଲି ଅବଶୋଷ ।
