କଥା ହୃଦୟର
କଥା ହୃଦୟର
କାଗଜ ଖଣ୍ଡିଏ
ଦିଅ ନାହିଁ ବନ୍ଧୁ
ସେଥିରୁ ମିଳିବ କିଶ
ଦେବ ଯଦି ଦିଅ
ଆଞ୍ଜୁଳିଏ ସ୍ନେହ
ହୃଦୟରୁ ଶୁଭାଶିଷ l
ମାନପତରରେ
ଭରେନି ହୃଦୟ
ଆଖି ସିନା ହୁଏ ଖୁସି
ରଙ୍ଗ ଉଡ଼ିଯାଏ
ଉତ୍ତରୀୟ ସାଥେ
ଫୁଲତୋଡ଼ା ହୁଏ ବାସି l
ସାଇତି ରଖିବ
ଯତନେ ହୃଦୟେ
କବିତାର ମିଠା ପଂକ୍ତି
କବିର କବିତ୍ଵ
ହୁଅଇ ସାର୍ଥକ
ବଢାଏ ପ୍ରେରଣା ଶକ୍ତି l
ଆଜିର ଜୀବନ
ନାହିଁ ତ ଭରସା
କାଲି ବା ଘଟିବ କିଶ
ଅଭିମାନ କରି
ଅଟକିବ ଯଦି
ପବନକୁ କି ବିଶ୍ୱାସ l
ମୁଁ ଯେବେ ନ ଥିବି
ଦୁନିଆ ଭିଡରେ
ଥିବ ମୋର ସୃଷ୍ଟିରାଶି
ହୃଦୟ ଭାବନା
ଅମୃତ କଳ୍ପନା
ହୃଦେ ଭରୁଥିବ ଖୁସି l
ହୃଦୟ ପଞ୍ଜରେ
ଲେଖିଦିଅ ବନ୍ଧୁ
କବିତାର ମିଠା ଶବ୍ଦ
ଆନନ୍ଦରେ ଆତ୍ମା
ଲଭିବ ସନ୍ତୁଷ୍ଟି
ହୋଇଯିବ ମନ୍ତ୍ରମୁଗ୍ଧ l
ଢାଳେନାହଁ କବି
କାବ୍ୟର ପିୟୁଷ
ପାଇବାକୁ ଉପହାର
ତା ହୃଦୟ ଭାଷା
ଅଦୃଶ୍ୟ ଅଭିପ୍ସା
ପ୍ରସ୍ଫୁଟିତ କଳେବର l
ଶବ୍ଦ ଯାଦୁଗରୀ
ମାୟାର ନଗରୀ
ହୃଦ ହୁଏ ବଶୀଭୂତ
ପାଠକ ହୃଦୟ
ଛୁଇଁ ଯାଏ ଯେବେ
ଧନ୍ୟ ହୁଏ ତା କବିତ୍ଵ l
ରାଜା ସିନା ପାଏ
ପୂଜା ନିଜ ରାଜ୍ୟେ
କବି ଜଗତରେ ପୂଜ୍ୟ
ପର୍ବତେ ଫୁଟାଏ
ସ୍ୱର୍ଗ ପାରିଜାତ
ମରୁରେ ପରୀ ସାମ୍ରାଜ୍ୟ l