କ୍ଷଣେ
କ୍ଷଣେ
ମଗ୍ନ ମାଟି ମୁଁ
ଭଗ୍ନ ହୃଦୟ
ହସୁଛି ପସରା ମେଲି
ନାହିଁ ସେଇ ଦିନ
ଅଛି କିନ୍ତୁ ଚିହ୍ନ
ମନେ ପଡ଼ିଯାଏ ଖାଲି।।
ପୂର୍ଣ୍ଣତା ଚାହିଁ
ଶୁନ୍ୟତା କିଣେ
ସପନ ବଜାରୁ ସିନା
ଅଣ୍ଟିରୁ ପଇସା
ସରେ ତ ସହସା
ସରେନି ସଉଦା କିଣା।।
ଭୋ ଭୋ ପ୍ରାଣ
ସୁନାର ହରିଣ
ଆନମନା କରେ ପ୍ରାଣ
ସୁନା ହରିଣ
ଧ୍ୱଂସର କାରଣ
ବୁଝି ଅବୁଝା ଏ ମନ...!
ମୁଗ୍ଧ ଜୀବନ
ଦଗ୍ଧ ସକାଳ
ବିଦଗ୍ଧ ଅନ୍ତର ତଳେ
ନିଷ୍ଠୁର ସମୟ
ନହୋଇ ନିର୍ଦ୍ଦୟ
ରହ ବଞ୍ଚିଯାଏ 'କ୍ଷଣେ'।।
ସମୟ ତ ନିଜ
ଇଚ୍ଛାର ମାଲିକ
ଶୁଣେ କିବା କାର ଅଳି
ବୁହାଇ ନିଅଇ
ସବୁଙ୍କୁ ସାଥୀରେ
କାର କି ପୁରାଇଛି ଥାଳି....!
ସବୁ ତ ଜାଣିଛେ
ତଥାପି କାହିଁକି
ଆନମନା ହୁଏ ପ୍ରାଣ
କହ କିଆଁ ଏଇ
ବିଷୟ ବାସନା
ନଚାଇ ନିଏ ଜୀବନ...!
ବୁଝିଛି ଏତିକି
ପାଇଛି ଯଦି ମୁଁ
ଅମୂଲ୍ୟ ନର ଜୀବନ
ଖୁସି ରହି ସଦା
ସ୍ନେହ,ପ୍ରେମ ବାଣ୍ଟି
ଛାଇଯିବି କିଛି ମନ।