କୃତଘ୍ନ
କୃତଘ୍ନ
କରିଥାଅ ଯା'ର
ଯେତେ ଉପକାର
ଜୀବନ ପାଣି ଛଡେଇ
ଜାଣତରେ ଅବା
ଅଜାଣତେ କିବା
ଭୁଲ୍ କଲେ କ୍ଷମା ନାହିଁ ।।
ବାର ବରଷର
ତପସ୍ୟାର ଫଳ
ଶୁଖୁଆ ପୋଡ଼ାରେ ଯାଏ
ଭଲ ବେଳେ ଯିଏ
ଗୁଣ ଗାଉଥାଏ
ନିନ୍ଦା ନାଗରା ବଜାଏ ।।
ସ୍ୱାର୍ଥେ ହୋଇ ଅନ୍ଧ
ଉଣ୍ଡଇ ସେ ଛିଦ୍ର
ପବିତ୍ର ସମ୍ପର୍କ ମଧ୍ୟେ
ମୁହେଁ ପାଣି ଛିଞ୍ଚି
ଷଡ଼ଯନ୍ତ୍ର ରଚି
ନିଜର ସ୍ୱାର୍ଥକୁ ସାଧେ ।।
କୃତଜ୍ଞ, କୃତଘ୍ନ
କୃତଜ୍ଞତା ମାନ
ନୁହଁଇ କେବେ ସମାନ
କୃତଘ୍ନର ଆଖ୍ୟା
କରୁଥାଏ ବ୍ୟାଖ୍ୟା
ସେହି ମଣିଷର ଗୁଣ ।।
ଭୁଲି ଯାଏ ତା'ର
ଯେତେ ଉପକାର
ଭୁଲ୍ ଟିକୁ ଗଣ୍ଠି କରି
ନିନ୍ଦାର ବାଜଣା
ବଜାଏ ସେ ସିନା
ସମ୍ପର୍କେ କାଳିମା ବୋଳି ।।