ଶୁନୁଗାଡି କହୁଛି
ଶୁନୁଗାଡି କହୁଛି
କି କଥା କହିବି କିଏ ବା ବୁଝିବ ମୋ କଥା?
ମୁଁ ଶୁନୁଗାଡି କହୁଛି ଶୁଣ ମୋର ମନର ବ୍ୟଥା ।
ଯେବେଠାରୁ ମୋର ବ୍ୟବହାର ହେଲା,
ମୋତେ ପାଇ ସଭିଙ୍କ ମନ ନାଚୁଥିଲା ।
ସହାୟକ ହୋଇ ସାଥି ହେଉଥିଲି ମୁଁ ଯାତ୍ରାର,
ବଡ଼ ଆନନ୍ଦରେ ସଭିଏଁ କରୁଥିଲେ ମୋ ଆଦର ।
ମୁଁ ଥିଲି ସେବେ ଏକ ଆଭିଜାତ୍ୟର ପରିଚୟ,
ଜିତୁଥିଲି ସଭିଙ୍କ ମନ ଓ ହୃଦୟ ।
ଭିନ୍ନ ଭିନ୍ନ ନାମେ ହେଲା ମୋର ଆବିର୍ଭାବ,
ଧୀରେ ଧୀରେ ମୋତେ ସଜେଇ ସଳଖି ଦେଲେ ନୂଆ ସ୍ଵଭାଵ ।
ବଜାରେ ସାଜ ସଜା ମୋ ଦେଖି ହୁଏ ମୋର ବେପାର,
ମୋ ମାଧ୍ୟମରେ ଚାଲୁଥିଲା କିଛି ଘର ସଂସାର ।
ସମୟ ଗଡ଼ିଲା ମୋ ଚକ ପରି, କିନ୍ତୁ ଆପେ ଆପେ,
କମିଲା ମୋ ଆଦର, ଯାନ୍ତ୍ରିକ ଗାଡି କଥା ସବୁ ଗପେ ।
ଯାନ୍ତ୍ରିକ ଗାଡି ରେ ବସି ସଭିଏଁ ପାଇଲେ ଖୁସି,
ମୋତେ ପର କଲେ, ରହିଲି ମୁଁ ଏକ କୋଣେ ପଶି ।
ବେଳେ ବେଳେ ମୋତେ କିଏ ଧକ୍କା ଦିଏ କରି ଅନାଦର,
କିଏ ଭଙ୍ଗା ରୁଜା କରି ଦିଅଇ ଅନେକ ପ୍ରହାର ।
କିଏ ପୁଣି ନିଜ ସ୍ଵାର୍ଥେ ଅନ୍ଧ ହୋଇ କରେ ହିନିମାନ,
ନିଜ ପୃଥଳ ଶରୀର ଲଦି ଦିଏ କମାଇବାକୁ ତା ଓଜନ ।
କେହି କେହି ପୁଣି ତା ସଉକ ମେଣ୍ଟାଇବା ପାଇଁ,
ମୋତେ ସାଥି କରେ ଅନେକ ବ୍ୟଥା ଦେଇ ।
ମାନୁଅଛି ମୁହିଁ ଅଟେ ଶୁନୁଗାଡି, କିନ୍ତୁ କାହିଁ କର ମୋର ଅନାଦର,
କିଛି ଯନ୍ତ୍ର ଲଗାଇ ମୋ ଦେହେ କଷ୍ଟ ଦିଅ ବାରମ୍ବାର ।
ସାଧାରଣ ଥିଲି, ଥିଲା ମୋର ସିଧା ସାଧା କାମ,
ବିକୃତ କରି କଷଣ ଦେଇ ମୋତେ, ବଢାଏ କିଏ ନିଜ ନାମ ।
ବେଳେ ବେଳେ ମୋତେ ବ୍ୟବହାର କରି ଖେଳାଏ କେହି ହିଂସା,
ତୁମ ସାଥି ଥିଲି, ଭୁଲିଯାଇ ଏବେ ଅସ୍ତ୍ର କରି କର ଲୋକହସା ।
ନିର୍ଜୀଵ ମୋ ଶରୀର ସତ, ରଖେ କେତେ କେତେ ଜୀବନ,
ପାସୋରି ସେ ସବୁ ନିଜ ସ୍ୱାର୍ଥ ପାଇଁ କର ମୋତେ ହୀନିମାନ ।
ବାଲ୍ୟକାଳେ ମୋତେ ଭଲ ପାଇ କର ଅନେକ ଆଦର,
ଯୌବନ ଆସିଲେ ମୋତେ ଭୁଲିଯାଇ କରିଦିଅ ପର ।
ଦୁଃଖ ଲାଗେ ମୋତେ ଦେଖି କିଛି ଲୋକଙ୍କ ସଂସାର,
ମୋ ପାଇଁ ଚାଲୁଥିଲା ଯାହାଙ୍କର ଜୀବନ ର ଧାର ।
କେତେ କେତେ ମୋର ସଜାଡ଼ିବାର ପୁରୁଣା ବୈଦ୍ୟ,
ଆଜି ତ ବେକାର, ବନ୍ଦ ତାଙ୍କ ବେପାର ହୋଇ ନୂତନତ୍ୱ ର ଶରବ୍ୟ ।
ତଥାପି ରହିଛି ମୁଁ ସଭିଙ୍କ ମନରେ ପଡିଛି ଏକ କୋଣେ,
ସ୍ୱାସ୍ଥ୍ୟ ର ଉନ୍ନତି ଓ ରକ୍ଷା ପାଇଁ ଖୋଜୁଛନ୍ତି କେହି ଜନେ ।
ଯିଏ ଏବେ ସୁଦ୍ଧା ମୋତେ ସାଥି କରି ଚଲାଏ ତା ଯାତ୍ରା,
ବାର୍ଦ୍ଧକ୍ୟ ଆସିଲେ ବି ରହିଥାଏ ତା ପାଶେ ଯୌବନ ର ମାତ୍ରା ।
ଆଉ ବା କି କହିବି ଏବେ ଶୁଣ ହେ ତୁମେ ସର୍ବେ,
ଶୁନୁଗାଡି କହୁଛି ମୋତେ ସାଥି କର ଏବେ ।
ବଢୁଛି ତୈଳ ଦର, ଜଳବାୟୁ ଏବେ ଦୂଷିତ,
ଯାନ୍ତ୍ରିକ ଗାଡି ଏବେ ଦେଉଛି ଯାତନା କର ତାକୁ ଉପେକ୍ଷିତ ।
ଅଛି ମୁଁ ସଦା ରହିବି ମୁଁ ସଦା ତୁମ ସେବାରେ,
ସାହାଯ୍ୟ ହେବି ମୁଁ ଏବେ ତୁମ ଜଳବାୟୁର ରକ୍ଷା କରିବାରେ ।
ଜାଣେନା କେମିତ କେବେ ସବୁ ତୁମେ ସତ୍ୟ କୁ ବୁଝିବ,
ଶୁନୁଗାଡି କହୁଛି ବେଳ ଥାଉ ବୁଝ ରକ୍ଷା ପାଇଯିବ ।