STORYMIRROR

Upendra prasad Mahala

Inspirational Others

3  

Upendra prasad Mahala

Inspirational Others

ଦେଖି ପାରୁଛ ଯଦି ଦେଖ

ଦେଖି ପାରୁଛ ଯଦି ଦେଖ

2 mins
279


ଦେଖି ପାରୁଛ ଯଦି ଦେଖ,
ପଢି ପାରୁଛ ଯଦି ପଢ
ଭଗ୍ନ କୋଣାର୍କ ଶିଳା ଖଣ୍ଡରେ
ଲେଖା ହୋଇ ରହିଛି କେତେଯେ
ବିସ୍ମୟ , କଳାସଂସ୍କୃତି ଓ ଜାତି
ଇତିହାସର ଗୌରବୋଜ୍ଜ୍ବଳ ଗାଥା,
ଯାହା ଚୁମ୍ବକ ପରି ମନକୁ ଟାଣେ,
ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟରେ ଭିଜାଏ।


ଦେଖିଛ କି କୋଣାକାର କ୍ଷେତ୍ର
କୋଣାର୍କରେ ଉଦୟ, ଅସ୍ତକାଳୀନ
ସୂର୍ଯ୍ୟଙ୍କ ଅରୁଣିମା କେମିତି ରଂଗ
ବୁଣେ ନୀଳ ସମୁଦ୍ର ଢେଉରେ ।
ଦେଖିଛ କି ସୂର୍ଯ୍ୟ ଉଇଁ ଅ।ସିବା
ବେଳେ ଭଗ୍ନ କୋଣାର୍କ କିଭଳି
ଆତୁର ଆଖିରେ ଚାହିଁଥାଏ !!


ଦିନ ଥିଲା ସୂର୍ଯ୍ୟଙ୍କ ପହିଲି କିରଣ
ନାଟମଣ୍ଡପ, ଜଗମୋହନ ଡେଇଁ
ଗର୍ଭଗୃହକୁ ଜ୍ୟୋତିର୍ମୟ କରୁଥିଲା
ମନ୍ଦିର ତିନି ଦ୍ବାର ଦେଇ ଦିଶୁଥିଲା
ସୂର୍ଯ୍ୟ ଦେବଙ୍କ ଅପୂର୍ବ ଶୋଭା ।
ହଜି ଯାଇଛି ଅତୀତର ଶିରି
ଇତିହାସର କ୍ରୂର ପରିହାସରେ।
ସତ୍ତା ହରାଇ କିମ୍ବଦନ୍ତୀ ସାଜିଛି
ଚନ୍ଦ୍ରଭାଗା ନଈ, ଯାହା ଦେହରେ
ଭସାଇ ଅଣାଯାଇଥିଲା ଶିଳାଖଣ୍ଡ,
ବାରଶହ ବଢେଇ ନିହାଣ ମୂନରେ
ଆଙ୍କିଥିଲେ ଅନୁପମ କାରୁକାର୍ଯ୍ୟ
ଗଢିଥିଲେ ଚବିଶ ଚକ ବିଶିଷ୍ଟ
ବିସ୍ମୟ ରଥାକୃତିର ଭବ୍ୟ ମନ୍ଦିର
ଯୋଚା ହୋଇଥିଲେ ସାତ ଅଶ୍ବ ।


ଆଜି ବି କୋଣାର୍କ ମାଟି ଶୁଣାଏ
ପୁରାଣ ଯୁଗର ଗାଥା। ଶ୍ରୀକୃଷ୍ଣଙ୍କ
ପୁତ୍ର ଶାମ୍ବ ବାରବର୍ଷ ତପସ୍ୟା
କରି ସୂର୍ଯ୍ୟ ଦେବଙ୍କ ଦର୍ଶନ
ଲଭି ରୋଗମୁକ୍ତ ହୋଇଥିଲେ,
ଯେଉଁ କିମ୍ବଦନ୍ତୀ ଆଧାରରେ
ଗଢା ଯାଇଥିଲା କାରୁକାର୍ଯ୍ୟଖଚିତ
କୋଣାର୍କ, ସୂର୍ଯ୍ୟଦେବଙ୍କ ବିଗ୍ରହ ।


ପାରୁଛ ଯଦି ପଥର ଦେହର ଭାଷାକୁ
ପଢି ବୁଝ, କେତେ ଶିଳ୍ପୀ କୁର୍ମ ପାଲଟି
ପଥର ବୋହିଥିଲେ, ଭାଂଗିଥିଲା
କେତେ ବଟାଳି, ନିହାଣ ମୂନ
ନୂଆ ଇତିହାସ ଲେଖିବା ବେଳେ।


କିଏ ଅଧିକାର ଦେଲା ସଂରକ୍ଷଣ
ନାଁରେ ଖଞ୍ଜିବାକୁ ତା' ଦେହରେ
ସାଦାସିଧା ପଥରଖଣ୍ଡ, କିଏ ଦେଲା
ଅଧିକାର ପାଷାଣ ଛାତିର ଭାଷାକୁ
ବିକୃତ ରୂପଦେଇ ଗଢିବାକୁ ?
ଆଜି ବି ସେମିତି ନିଦା ପଡିରହିଛି
ଭଗ୍ନ ନାଟମଣ୍ଡପ, ବାଲିରେ ପୋତି
ରଖାଯାଇଛି ଭବ୍ୟ ଜଗମୋହନ,
ଗର୍ଭଗୃହ ପରିତ୍ୟକ୍ତ , ବିଚ୍ଛୁରିତ
ହୋଇ ପଡିଛି ମୁଖ୍ୟ ମନ୍ଦିରର
ଅନେକ ଉଜୁଡା ଭଗ୍ନାବଶେଷ ।


ପାରୁଛ ଯଦି କଳାର ସୌନ୍ଦର୍ଯ୍ୟକୁ
ସାଇତି ରଖ ଯାହା କାଳ ହାତରୁ
ବର୍ତ୍ତି ଏଯାଏ ନେଉଛି ନିଃଶ୍ବାସ।
ଅତୀତର ଗୌରବମୟ ସନ୍ତକ
ଓଡ଼ିଆ ପ୍ରାଣର କୋଟି ପୁଲକ
ଭାରତର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ
ବ୍ଲାକ ପାଗୋଡା " କୋଣାର୍କ "।

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational