ମୁଁ ସର୍ବଂସହା
ମୁଁ ସର୍ବଂସହା
କଲମ ଖଡ୍ଗରେ ବିଦୀର୍ଣ୍ଣ ମୋର ସମସ୍ତ ଅବୟବ
ସାବିତ୍ରୀର ସମସ୍ତ ଜୀବନ ଦୁର୍ବିସହ ଘୃଣାଭାବ
ସାରସ୍ୱତ ସାଧକର ଚିର ସହଚର -କଲମ
ଯେମିତି ସାବିତ୍ରୀ ଶରୀରେ,ମଲମ ନୁହେଁ -ଜଖମ
ଜାୟା, ଜନନୀ, ଭଗିନୀର ମୂର୍ତ୍ତିମନ୍ତ ପ୍ରତୀକ-ମା'
ଏଣେ ବକ୍ଷ ବିଦ୍ଧ ଖଡ୍ଗ ରୂପୀ ଲେଖନୀ
ଚକ୍ଷୁ, ଗର୍ଭ, ହସ୍ତପଦରେ ସୀମାହୀନ ତୀର
ଝର ଝର ଝରିଯାଏ, ବୁନ୍ଦା ବୁନ୍ଦା ରୁଧିର ଧାର ll
ମୋତେ କଣ ସତରେ ଏତେ କ୍ଷୁଧା
କେତେ ବଡ଼ ଅବା ଦି'ଚାଖଣ୍ଡ ଉଦର !
ସ୍ୱାମୀ ମୋ ଇହ ପର କାଳର ଈଶ୍ୱର
ମନାସେ ଦୀର୍ଘାୟୁ, ମୋ ଶଙ୍ଖା ଆଉ ସିନ୍ଦୂରର
ଭକତର ମନ ନେଇ ସମର୍ପିତ ମୋ ତନୁମନ
ଅହ୍ୟରାଣି ହୋଇ ଚାଲିଯାଉ ଏ ଅଭାଗା ଜୀବନ
ଆପଣାର ଲୋକଙ୍କୁ କରିଥିଲି ପର
ଇତରଙ୍କୁ ଆପଣାଇ ନେଲି
ଛାଡ଼ି ସ୍ବ-ଗୋତ୍ର, ଜାତି କୁଳ ll
ମୁଁ ଦୀନା, ଭକ୍ତା, ପତିବ୍ରତା
ମୁଁ କବିତା, ବନୀତା, ଲତା
ଲାଜକୁଳୀ ସରମିଲତା
ଆନ ଇଙ୍ଗିତରେ ଉଠାବସା ହେଉଥିବା
କଥାକୁହା ଚାବି ଦିଆ କଣ୍ଢେଇଟେ ମୁଁ.
ମାଟିହାଣ୍ଡି ଚୁଇଁଦେଲେ ଛୁଆଁ
ପୁରାଣ,ଇତିହାସରେ ଯେତେଲେଖା ସବୁଠି ନାରୀ
ସତରେ କଣ ପରଝିଅ ଘର ଭାଙ୍ଗେ?
ପୁରୁଷକୁ ସାତଖୁଣ ମାଫ୍ ll
ଶାଶୁ, ଶ୍ୱଶୁର ଜରାଶ୍ରମରେ ରହିଲେ ଦାୟୀ ମୁଁ !
ସ୍ୱାମୀ ସୁରା ବେଶ୍ୟାସକ୍ତ ପାଇଁ ଦାୟୀ ମୁଁ !!
ଘର ଭାଙ୍ଗିଲେ ଦାୟୀ ମୁଁ !
ପୁଅକୁ ଜହ୍ନଆଞ୍ଜୁଳା ଭାବୁଥିବା ସମାଜରେ
ଝିଅଟିଏ ଜନ୍ମକଲେ, ଦାୟୀ ମୁଁ !
କେବେ ବୈଧବ୍ୟ, ଯନ୍ତ୍ରଣାରେ ଜର୍ଜରିତା ହେଲେ
କୁଳଟା, ଅପବିତ୍ରା, ଡାହାଣୀ,
ସବୁଥିରେ ଦାୟୀ ମୁଁ !
ଅଲକ୍ଷଣୀ, ପାପୀ, ସ୍ୱାମୀଖାଇ
ଏମିତି କେତେ କଣ ବିଶେଷଣ ll
ଭୀଷ୍ମଙ୍କ ପରି ମୋ ଦେହ ସାରା ଶର
କବି, ଲେଖକଙ୍କ ରମ୍ୟ, କଟାକ୍ଷ ବାଣରେ
ଧରାଶାୟୀ ମୁଁ,
କେତେବେଳେ କାହାର କାମନା, ବାସନାର
ସାମଗ୍ରୀଟେ ମୁଁ,
କିଆ ବୁଦା, ଲଟାଉହାଡ଼ରେ କଇଁକଇଁ ହୋଇ
କ୍ରନ୍ଦନରତ ଅନାଥିନୀଟେ ମୁଁ,
ଅହରହ ଯଉତୁକ ଜୁଇରେ ବଳିପଡୁଥିବା
ନବବଧୂଟେ ମୁଁ,
ଶାଶୁ, ଶ୍ୱଶୁର, ନଣନ୍ଦ, ଦେବରଙ୍କ
ଶାବଳ ତଳେ ଜୀବନ ଭିକ୍ଷା କରୁଥିବା
ଅସହାୟା, ନିଃସହାୟା ନାରୀଟିଏ ମୁଁ,
ଅବା ପିତୃମାତୃ ନିନ୍ଦାରେ ଅତିଷ୍ଠ ହୋଇ
ଜହର ଭକ୍ଷି ମୃତ୍ୟୁକୁ ଅଭିନନ୍ଦନ କରୁଥିବା
ଦୁଇକୁଳ ପିତା ଦୁହିତାଟେ ମୁଁ ll
ଜୀବନଟାମୋର ବୈଶାଖୀ ଝାଂଜି,କାଳବୈଶାଖୀ
ହୃଦୟଟା ବେସାହାରା, ସାହାରା ମରୁଭୂମି
ଜଳବିନା ପଲ୍ଲବିତ ହେଉନି ଜୀବନ ଯୌବନ
ଝାଉଁଳି ଯାଏ ଇପ୍ସିତ ଆଶା,ଅସୁମାରୀ ଆକାଂକ୍ଷା
ମୁଁ ନିର୍ବାସିତା, ବିବସ୍ତ୍ରା,
ନିରବ,ବୀର ଫାଲ୍ଗୁନୀ,ଧର୍ମରାଜ ସମେତ ପାଣ୍ଡଵ
କି' ହୀନ ଚିନ୍ତାଧାରା, ହେ ମଧୁସୂଦନ ମାଧବ
ହେ କୃଷ୍ଣ, ଏ ଦୀନା କୃଷ୍ଣା ପାଇଁ ହୁଅ ଆବିର୍ଭାବ
ଦୁଇବାହୁ ତୋଳିଦେଲି ଉର୍ଦ୍ଧ୍ୱକୁ
ଆଶ୍ରା ତୁମ ପତିତପାବନ ବାନା ଆଉ କୋଟିବସ୍ତ୍ରକୁ ll
ମୋର ଦରକାର ନାହିଁ ପ୍ରଜାବତ୍ସଳ ରାମଚନ୍ଦ୍ର
ବିନା ବିଚାରେ ଅନ୍ତଃସତ୍ୱା ନାରୀ କରନ୍ତି ବର୍ଜନ
ଯେ ସନ୍ଦେହୀ ଅବିଚାରେ ଅନଳେ କରନ୍ତି ଦହନ
ସହଧର୍ମିଣୀ, ଅର୍ଦ୍ଧାଙ୍ଗିନୀର କର୍ତ୍ତବ୍ୟ କରିଚି ମୁଁ
ଜନକ ଦୁହିତା, ଜାନକୀ ମୁଁ
ଭ୍ରମିଚି ବିପଦପୂର୍ଣ୍ଣ ଅରଣ୍ୟ
ପତ୍ନୀ ଧର୍ମରେ କଣ ବା ଥିଲା ମୋର ଅଭାବ
ମୋର ତୁମେ ଦରକାର, ହେ ମଧୁସୁଦନ, ମାଧବ
ଯେ ସବୁ ମୁହୁର୍ତ୍ତରେ କରିପାରନ୍ତି
ନାରୀ ଲଜ୍ଜା ନିବାରଣ
ଦ୍ରୌପଦକୁ କୋଟିବସ୍ତ୍ର ଦାନ
ପୁରୁଷପ୍ରାଧାନ୍ୟ ସମାଜରେ ଏଇତ ନାରୀର ଭାଗ୍ୟ
ଏଇତ ବିଡମ୍ବନା
କିଏବା ଶୁଣୁଛି ଅବା ଚେଷ୍ଟାକରିଚି
ଶୁଣିବାକୁ ପୋଛିଦେବାକୁ ତାର କାନ୍ଦଣା l
